ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଗଛରେ ଝୁଲନ୍ତା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ମିଳିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ଏବଂ ବନ ବିଭାଗ ପକ୍ଷରୁ ଘଟଣାର କଡ଼ା ତଦନ୍ତ ଚାଲିଛି।
ମନ୍ତ୍ରୀ କହିଛନ୍ତି, ଡିଏଫ୍ଓଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ବାଘଟି ବାରହା ଶିକାର ପାଇଁ ପତାଯାଇଥିବା ଫାଶରେ ପଡ଼ିଥିଲା। ଫାଶରୁ ବଞ୍ଚିବାକୁ ଚେଷ୍ଟା କରି ବାଘଟି ଗଛ ଉପରକୁ ଚଢ଼ିଥିଲେ ମଧ୍ୟ ଶେଷରେ ତାହାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା ବନଖଣ୍ଡର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ବାଘଟିର ମୃତ୍ୟୁ ପଛରେ ଶିକାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ବନ ବିଭାଗ ସବୁ ଦିଗରୁ ତଦନ୍ତ କରୁଛି।
ମୃତ ବାଘର ବ୍ୟବଚ୍ଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠାଇଛି।