ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁରୂପେ ପରିଚାଳନା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ତିନୋଟି ରଥ ପାଇଁ ପୃଥକ୍ ପୃଥକ୍ ନିର୍ଦ୍ଦେଶକ ଦଳ ଓ ବୈଷୟିକ ଦଳ ଗଠନ କରାଯାଇଥିବାବେଳେ ପ୍ରତ୍ୟେକ ରଥର ଦାୟିତ୍ୱ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି।
ଏହି ବ୍ୟବସ୍ଥା ଅନୁଯାୟୀ ତାଳଧ୍ୱଜ ରଥର ଦାୟିତ୍ୱ ଏସ୍ପି ପ୍ରତୀକ ସିଂହ, ନନ୍ଦିଘୋଷ ରଥର ଦାୟିତ୍ୱ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଦେବଦଳନ ରଥର ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି।
ତାଳଧ୍ୱଜ ରଥର ନିର୍ଦ୍ଦେଶକ ଦଳରେ ୧୧ ଜଣ ଓ ବୈଷୟିକ ଦଳରେ ୪ ଜଣ, ଦେବଦଳନ ରଥରେ ୧୨ ଜଣ ନିର୍ଦ୍ଦେଶକ ଓ ୪ ଜଣ ବୈଷୟିକ ସଦସ୍ୟ, ସେହିପରି ନନ୍ଦିଘୋଷ ରଥରେ ୧୩ ଜଣ ନିର୍ଦ୍ଦେଶକ ଓ ୪ ଜଣ ବୈଷୟିକ ସଦସ୍ୟ ରହିବେ। ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ସମୟରେ ରଥ ଟଣା ବେଳେ ଏହି ଟିମ୍ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ।
ପରମ୍ପରା ଅନୁଯାୟୀ ତିନୋଟି ରଥରେ ମହାରଣା, ରୂପକାର ଓ ଭୋଇ ସେବକଙ୍କ ସଂଖ୍ୟା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ଓ ଦେବଦଳନ ରଥରେ ୨୫ ଜଣ ମହାରଣା, ୨ ଜଣ ରୂପକାର ଓ ୨୫ ଜଣ ଭୋଇ ସେବକ ରହିବେ। ନନ୍ଦିଘୋଷ ରଥରେ ୨୭ ଜଣ ମହାରଣା, ୩ ଜଣ ରୂପକାର ଓ ୨୬ ଜଣ ଭୋଇ ସେବକ ନିୟୋଜିତ ରହିବେ। ଜରୁରୀ ପରିସ୍ଥିତିରେ ମଧ୍ୟ ସେମାନେ ଦାୟିତ୍ୱ ସମ୍ଭାଳିବେ।
ଏହାଛଡ଼ା ଆସିଥିବା ଘଣ୍ଟୁଆ ସେବକମାନେ ପ୍ରତ୍ୟେକ ରଥରେ ନିର୍ଦ୍ଧାରିତ ସଂଖ୍ୟାରେ ଉପସ୍ଥିତ ରହି ସମତାଳରେ ଘଣ୍ଟ ବାଦନ କରିବେ। ପ୍ରତ୍ୟେକ ରଥରେ ଦୁଇଜଣ ଲେଖାଏଁ ପତାକାଧାରୀ ରଥର ଗତି ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ। ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ କର୍ଡନ ପାସ୍ ଯୋଗାଇ ଦିଆଯିବ। ଏହି ସମସ୍ତ ବ୍ୟବସ୍ଥା ରଥଯାତ୍ରାକୁ ଅଧିକ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବାରେ ସହାୟକ ହେବ।