ବାଲେଶ୍ୱର: ବାଲେଶ୍ୱର ସହରରେ ଜଣ୍ଡିସ ରୋଗ ଏବେ ଚିନ୍ତାର କାରଣ ପାଲଟିଛି। ଗତ ଏକ ମାସ ମଧ୍ୟରେ ସହରର ୨୪, ୨୫, ୨୭ ଓ ୧୨ ନମ୍ବର ୱାର୍ଡରେ ୧୫ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢ଼ୁଥିବାରୁ ସହରବାସୀଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସହରର ଅନେକ ସ୍ଥାନରେ ନର୍ଦ୍ଦମା ଭିତର ଦେଇ ପାନୀୟ ଜଳ ପାଇପ୍ ଯାଇଛି। କେତେକ ସ୍ଥାନରେ ପାଇପ୍ ଫାଟି ଜଳ ଲିକ୍ ହେଉଥିବା ବେଳେ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଡ୍ରେନ୍ ଭିତରେ ରହିଛି ଏବଂ ସେଥିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦୂଷିତ ପାଣି ପାନୀୟ ଜଳ ସହ ମିଶି ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହେଉଛି।
ବାରମ୍ବାର ପ୍ରଶାସନ ଓ ଜନ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ବଢ଼ିଛି। ଏପରିସ୍ଥିତିରେ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ତଦନ୍ତ ଜାରି ରହିଛି।
ଅନ୍ୟପଟେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଦୂଷିତ ପାଣି ପିଇବା କାରଣରୁ ଜଣ୍ଡିସ ସଂକ୍ରମଣ ବଢ଼ୁଛି। ଅନ୍ୟପକ୍ଷରେ ଜନ ସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନୂତନ ପାଇପ୍ ସଂଯୋଗ କାମ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ପାଇପ୍ଗୁଡ଼ିକର ମରାମତି କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ। ତେବେ ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଜଣ୍ଡିସ ସଂକ୍ରମଣକୁ ରୋକିବାକୁ ଦାବି କରିଛନ୍ତି ସହରବାସୀ।