କଟକ: ସାଇବର ଆର୍ଥିକ ଅପରାଧରେ ଅଭିଯୋଗର ଦ୍ରୁତ ପଞ୍ଜିକରଣ ଏବଂ ପୀଡ଼ିତମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନର ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ‘ଇ-ଜିରୋ ଏଫ୍ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଏହା ନାଗରିକଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି ।
ଏହି ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ କ୍ରାଇମ୍ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ ବା ସିସିଏନଟିଏସ୍ (CCTNS) ସହ ସମନ୍ୱୟ କରିଛି । କୌଣସି ବ୍ୟକ୍ତି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ୧୯୩୦ ନଂ ଜରିଆରେ ପଞ୍ଜିକୃତ ହେଲେ, ସିସିଏନଟିଏସରେ ସ୍ୱୟଂଚାଳିତ ଭାବେ ଇ-ଜିରୋ ଏଫ୍ଆଇଆର୍ ଅନୁରୋଧ ଆସିବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନକୁ ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିପାରିବ । ମାମଲାଟିକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରାଯାଇପାରିବ । ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ରଖାଯାଇଛି । ଏହାର ଅଗ୍ରଗତି ଦେଖି ପରବର୍ତ୍ତୀ ସମୟରେ ଏହି ଟଙ୍କାକୁ ବଢ଼ାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ-ପ୍ରଦାନ ଅଧିକ ଦ୍ରୁତ ଏବଂ ସୁବ୍ୟବସ୍ଥିତ ହେବ । ଅଭିଯୋଗକାରୀମାନେ ମଧ୍ୟ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ।
ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ । ଯେକୌସି ସମୟରେ ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନ କରି ତୁରନ୍ତ ୧୯୩୦ରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶୀଘ୍ର ଅଭିଯୋଗ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବଢ଼ିବ । ଡିଜିପି ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ଅପରାଧ ଶାଖା ଓ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥା ଓଡ଼ିଶା ପୋଲିସର ପ୍ରଯୁକ୍ତିନିର୍ଭର, ଆଧୁନିକ ଓ ଦକ୍ଷ ପୋଲିସିଂ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସାଇବର ଅପରାଧର ମୁକାବିଲା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହେବ ବୋଲି ରାଜ୍ୟ ପୋଲିସ ଆଶା ରଖିଛି ।