ଭାରତ ମହାଦେବ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକର ଉପରେ ଶିକଞ୍ଜା କଷିଛି। ସରକାରଙ୍କ ଅନୁରୋଧ କ୍ରମେ ଓମାନରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରକୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ସୌରଭ ଏକ ଜାଲ୍ ଇଣ୍ଡୋନେସୀୟ ପାସପୋର୍ଟ ସାହାଯ୍ୟରେ ଓମାନରେ ପ୍ରବେଶ କରିଥିଲା। ଗିରଫଦାରୀ ପରେ ଭାରତ ସରକାର ତାକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଓମାନ ସରକାରଙ୍କ ସହ ପ୍ରତ୍ୟାର୍ପଣ ର ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଉଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ଏହି ଆପ୍ ମାଧ୍ୟମରେ ୫,୦୦୦ କୋଟିରୁ ଅଧିକ ଟଙ୍କାର ଅପରାଧିକ ଆୟ ହୋଇଛି। ମିଳିଥିବା ସୂଚନା ମୁତାବକ, ମହାଦେବ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରାକରକୁ ରୟାଲ ଓମାନ ପୋଲିସ ମସ୍କଟ୍ରୁ ଗିରଫ କରିଛି। କୁହାଯାଉଛି ଯେ ସୌରଭ ଚନ୍ଦ୍ରାକର ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ ରେ ରହୁଥିଲା। ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ୍ର ରେଡ୍ ନୋଟିସ୍ ଆଧାରରେ ତାକୁ ଗିରଫ କରାଯାଇଛି।
ଅଲ୍ ଖୌଦ୍ ଡିଟେନସନ ସେଣ୍ଟରରେ କଏଦ ଅଛି ସୌରଭ
ବର୍ତ୍ତମାନ ସୌରଭ ଚନ୍ଦ୍ରାକରକୁ ମସ୍କଟ୍ର ଅଲ୍ ଖୌଦ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ସେ ନିଜ ପକ୍ଷରୁ ମାମଲା ଲଢ଼ିବା ପାଇଁ ଓକିଲମାନଙ୍କ ଏକ ଟିମ୍ ମଧ୍ୟ ନିଯୁକ୍ତ କରିଛି। ଅନ୍ୟପଟେ, ଓମାନରେ ଜାଲ୍ ପାସପୋର୍ଟ ଏବଂ ବେଆଇନ ଭାବେ ପ୍ରବେଶ କରିବା ମାମଲାର ଯାଞ୍ଚ ଚାଲିଛି। ଏପଟେ, ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଅଭିଯୁକ୍ତ ସୌରଭର ଭାରତ ପ୍ରତ୍ୟାର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଅଭିଯୁକ୍ତକୁ କେବେ ସୁଦ୍ଧା ଭାରତ ଅଣାଯାଇପାରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
୨୦୨୪ରେ UAE ପୋଲିସ ହେପାଜତକୁ ନେଇଥିଲା
କୁହାଯାଏ ଯେ ଏହାପୂର୍ବରୁ ୨୦୨୪ ମସିହାରେ, ଇଣ୍ଟରପୋଲ୍ର ରେଡ୍ ନୋଟିସ୍ ଆଧାରରେ ଚନ୍ଦ୍ରାକରକୁ UAE ରେ ଅଟକ ରଖାଯାଇଥିଲା। ସେହି ସମୟରେ ଭାରତ ତାକୁ ପ୍ରତ୍ୟାର୍ପଣ କରିବାକୁ ଅନୁରୋଧ କରିଥିଲା, କିନ୍ତୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା ଏବଂ ପରେ ତାକୁ ମୁକ୍ତ କରିଦିଆଯାଇଥିଲା। ଏହି ସମୟରେ ତାର ସହଯୋଗୀ ରବି ଉପ୍ପଲ୍ UAE ରୁ ଫେରାର ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।
ଦୁବାଇରୁ ଆରମ୍ଭ କରିଥିଲା ମହାଦେବ ଆପ୍
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୌରଭ ଚନ୍ଦ୍ରାକର ୨୦୧୯ ମସିହାରୁ ଫେରାର ଅଛି। ସେ ନିଜ ସହଯୋଗୀ ରବି ଉପ୍ପଲ୍ଙ୍କ ସହ ମିଶି ଦୁବାଇରୁ 'ମହାଦେବ ଅନଲାଇନ୍ ବେଟିଂ ନେଟୱର୍କ' ଆରମ୍ଭ କରିଥିଲା। ଏହି ନେଟୱର୍କର ଯାଞ୍ଚ ଚାଲିଛି, କାରଣ ଏହା ଉପରେ କ୍ରିକେଟ୍, ଫୁଟବଲ୍, ଟେନିସ୍, ବ୍ୟାଡମିଣ୍ଟନ, ପୋକର୍ ଏବଂ କାର୍ଡ ଗେମ୍ସ ଭଳି ଖେଳ ସହିତ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ବେଆଇନ ସଟ୍ଟାବାଜିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ରହିଛି।