ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ଲୋକାୟୁକ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୁଧବାର ଦିନ ରାଜ୍ୟର ୭ଟି ପ୍ରମୁଖ ସହରରେ ଲୋକାୟୁକ୍ତର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ ଜଣ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଏହି ମେଗା ରେଡ୍ କରାଯାଇଛି।
ଏହି ଚଢ଼ାଉରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି କୃଷି ବିଭାଗର ସହାୟକ ନିର୍ଦ୍ଦେଶକ ପୁଷ୍ପା ଡି.ଆର୍.। ବେଙ୍ଗାଲୁରୁ ଏପିଏମସିରେ କାର୍ଯ୍ୟରତ ପୁଷ୍ପାଙ୍କ ଘରୁ ବିପୁଳ ପରିମାଣର ସୁନା ଗହଣା ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଜବତ ସୁନାର ପ୍ରକୃତ ଓଜନ ଓ ମୂଲ୍ୟ ଆକଳନ କରିବା ପାଇଁ ଲୋକାୟୁକ୍ତ ଟିମ୍ ପକ୍ଷରୁ ସୁନାରୀଙ୍କୁ ଡକାଯାଇ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ସିନେମା 'ପୁଷ୍ପା' ଭଳି ଏହି ମହିଳା ଅଧିକାରୀ ଜଣକ ବେଆଇନ ଭାବେ ଅମାପ ସମ୍ପତ୍ତି କମାଇଥିବା ଦେଖିବାକୁ ମିଳିଛି।ଲୋକାୟୁକ୍ତ ବିଭାଗର ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସିଟି, ବେଙ୍ଗାଲୁରୁ ସାଉଥ୍, ରାୟଚୁର, ଚିତ୍ରଦୁର୍ଗ, ତୁମକୁରୁ, ଶିବମୋଗା ଏବଂ କଲବୁର୍ଗୀ ଆଦି ୭ଟି ସହରରେ ଏହି ସର୍ଚ୍ଚ ଅପରେସନ କରାଯାଇଛି। ଏଥିରେ ୧୦ ଅଧିକାରୀଙ୍କ ଠିକଣାରେ ଚଢାଉ କରାଯାଇଛି।
ଏହି ସମସ୍ତ ଅଧିକାରୀଙ୍କ ନାମରେ ଆୟ ବର୍ହିଭୁତ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ସମସ୍ତ ନଥିପତ୍ର, ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତିର କାଗଜପତ୍ରକୁ ଲୋକାୟୁକ୍ତ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଆଗକୁ ଦୁର୍ନୀତିର ଏହି ଆକଳନ ଆହୁରି ବଢ଼ିପାରେ ବୋଲତି ଅନୁମାନ କରାଯାଉଛି।