ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ନେଇ ଶେଷରେ ନୀରବତା ଭାଙ୍ଗିଛନ୍ତି। ନିକଟରେ ତାଙ୍କ ବିରୋଧରେ ଆସିଥିବା କିଛି ବିବାଦୀୟ ଅଭିଯୋଗ ଉପରେ ଏକ ସ୍ପଷ୍ଟୀକରଣ ରଖି ସେ ଏକ ସ୍ୱତନ୍ତ୍ର ଚିଠି ଜାରି କରିଛନ୍ତି। ଏହି ଚିଠି ମାଧ୍ୟମରେ ସେ ବିରୋଧୀଙ୍କୁ କଡ଼ା ଜବାବ ଦେବା ସହ ଏସଆଇଟିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ସେ ସବୁ ବିଷୟରେ ଖୋଲାଖୋଲି ଭାବେ ପ୍ରତିକ୍ରିୟା ରଖିବେ ବୋଲି ସୂଚନା ଦେଇଛନ୍ତି।
ବିବାଦ ଉପରେ ଚମ୍ପତ ରାୟଙ୍କ ବଡ଼ ସ୍ପଷ୍ଟୀକରଣ
ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ତାଙ୍କ ବିରୋଧରେ ଚାଲିଥିବା ଅପପ୍ରଚାରକୁ ନେଇ ଚମ୍ପତ ରାୟ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟ୍ରଷ୍ଟ ଏବଂ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) କରୁଛି। ତେଣୁ ଆଇନ ପ୍ରକ୍ରିୟା ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।
ଚିଠିରେ କ’ଣ ଲେଖିଛନ୍ତି ଟ୍ରଷ୍ଟ ମହାସଚିବ?
ପ୍ରକାଶିତ ଚିଠିରେ ଚମ୍ପତ ରାୟ ଉଲ୍ଲେଖ କରିଛନ୍ତି ଯେ ମୋ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ଆଇନକୁ ସମ୍ମାନ କରେ। SIT ବର୍ତ୍ତମାନ ଏହି ମାମଲାର ନିରପେକ୍ଷ ତଦନ୍ତ କରୁଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏବଂ ଫାଇନାଲ୍ ରିପୋର୍ଟ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ମୁଁ କୌଣସି ପ୍ରକାରର ଅଧିକାରୀକ ବୟାନ କିମ୍ବା ଆରୋପ ପ୍ରତ୍ୟାରୋପ ଭିତରକୁ ଯିବାକୁ ଚାହୁଁନାହିଁ। ରିପୋର୍ଟ ଆସିବା ମାତ୍ରେ ସବୁ ସତ୍ୟ ଆପେ ଆପେ ପଦାକୁ ଚାଲିଆସିବ ଏବଂ ମୁଁ ପ୍ରେସ୍ ମିଟ୍ କରି ସବୁ ପ୍ରଶ୍ନର ଉତ୍ତର ଦେବି।"
Also Read: ବିପର୍ଯ୍ୟୟ ମୁକାବିଲାରେ ବଡ଼ ପଦକ୍ଷେପ; ୧୮୦ କୋଟିରେ ଗଢ଼ାହେବା ଡିଜାଷ୍ଟର ମ୍ୟାନେଜମେଣ୍ଟ ଭବନ, ଦେଢ଼ ବର୍ଷରେ କାମ ସରିବା ଲକ୍ଷ୍ୟ