ନୂଆଦିଲ୍ଲୀ: ଆଗାମୀ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତାରିଖ ଓ ସେଡ୍ୟୁଲ୍କୁ ନେଇ ସୂଚନା ପ୍ରକାଶ ପାଇଛି। 'କ୍ରିକବଜ୍'ର ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ୨୦୨୭ ବାଂଲାଦେଶ ଆନୁକୂଲ୍ୟରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ହାଇଭୋଲ୍ଟେଜ୍ ଟୁର୍ନାମେଣ୍ଟ ଜୁନ୍ ୧୮ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖରେ ଏହାର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତଥର ଟି-୨୦ ଫର୍ମାଟ୍ରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ଏଥର ୫୦ ଓଭର ବିଶିଷ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। କାରଣ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ଦୃଷ୍ଟିରେ ରଖି ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ଏହି ନିଷ୍ପତ୍ତି ନେଇଛି।
ଏହି ୩ଟି ପଡ଼ିଆରେ ଖେଳାଯିବ ମ୍ୟାଚ୍
ଏସିଆ କପ୍ର ସମସ୍ତ ମ୍ୟାଚ୍ ବାଂଲାଦେଶର ୩ଟି ପ୍ରମୁଖ ଷ୍ଟାଡିୟମ୍ରେ ଖେଳାଯିବ। ଏଥିପାଇଁ ମୀରପୁର, ଚଟ୍ଟୋଗ୍ରାମ ଏବଂ ସିଲହଟ୍କୁ ଚୟନ କରାଯାଇଛି। ଆଗାମୀ କିଛି ଦିନ ଭିତରେ ଭେନ୍ୟୁ ଉପରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୨୫ ଏସିଆ କପ୍ ସେପ୍ଟେମ୍ବର ମାସରେ ଖେଳାଯାଇଥିବା ବେଳେ ଏଥର କିନ୍ତୁ ଖେଳାଳିଙ୍କ ସୁବିଧା ପାଇଁ ତାରିଖକୁ କିଛି ମାସ ଆଗକୁ ଅର୍ଥାତ୍ ଜୁନ୍-ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି।
ବାଂଲାଦେଶ ପାଇଁ ବଡ଼ ସୁଯୋଗ
ବାଂଲାଦେଶ ଶେଷ ଥର ପାଇଁ ୨୦୧୬ ମସିହାରେ ଏସିଆ କପ୍ ଆୟୋଜନ କରିଥିଲା। ସେହି ବର୍ଷ ବାଂଲାଦେଶ ଦଳ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ଭାରତ ହାତରୁ ୮ ଓ୍ଵିକେଟରେ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା। ଏବେ ପୂର୍ବତନ ଷ୍ଟାର୍ କ୍ରିକେଟର ତମିମ୍ ଇକବାଲ୍ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ର ନୂଆ ସଭାପତି ହେବା ପରେ ତାଙ୍କ ନେତୃତ୍ୱରେ ଦେଶରେ ପ୍ରଥମ ଥର ପାଇଁ କୌଣସି ଏତେ ବଡ଼ ଆନ୍ତର୍ଜାତୀୟ ଟୁର୍ଣ୍ଣାଣ୍ଟ ଆୟୋଜନ ହେବାକୁ ଯାଉଛି।