ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ପୂର୍ବତନ ଅଧିନାୟକ ତଥା ‘କୋଲକାତା ମହାରାଜା’ ସୌରଭ ଗାଙ୍ଗୁଲିଙ୍କ ପାଇଁ ଆଜିର ଦିନଟି ସେତିକି ଖାସ୍ ହୋଇଛି, ଯେତିକି ସାରା ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ଗର୍ବର ବିଷୟ ସାଜିଛି। ଆଜି ଦାଦାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଶ୍ୱ କ୍ରିକେଟର ସର୍ବୋଚ୍ଚ ସମ୍ମାନ ମିଳିବାକୁ ଯାଉଛି। କ୍ରିକେଟ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଏବଂ ନେତୃତ୍ୱକୁ ସ୍ୱୀକୃତି ଦେଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ତାଙ୍କୁ ନିଜର ପ୍ରତିଷ୍ଠିତ 'ହଲ୍ ଅଫ୍ ଫେମ୍' ରେ ସାମିଲ କରିବାକୁ ଘୋଷଣା କରିଛି।
ସୌରଭ ଗାଙ୍ଗୁଲି ଏହି ପ୍ରତିଷ୍ଠିତ ଆଇସିସି ହଲ୍ ଅଫ୍ ଫେମ୍ କ୍ଲବରେ ସାମିଲ ହେବାରେ ୧୨ତମ ଭାରତୀୟ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଦେଶର ୧୧ ଜଣ ମହାନ ଖେଳାଳିଙ୍କୁ ଏହି ସମ୍ମାନ ମିଳିସାରିଛି। ଏହି ବିଶିଷ୍ଟ ତାଲିକାରେ ୯ ଜଣ ପୁରୁଷ ଏବଂ ୨ ଜଣ ମହିଳା ଖେଳାଳି ରହିଛନ୍ତି।
ଦାଦାଙ୍କ ପୂର୍ବରୁ ଏହି ସମ୍ମାନ ପାଇଥିବା ୧୧ ଭାରତୀୟ ଖେଳାଳି
ପୁରୁଷ କ୍ରିକେଟର: ବିଷନ ସିଂ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ଭିନୁ ମାଙ୍କଡ, ବୀରେନ୍ଦ୍ର ସେହୱାଗ ଏବଂ ମହେନ୍ଦ୍ର ସିଂ ଧୋନି।
ମହିଳା କ୍ରିକେଟର: ଡାଏନା ଏଡୁଲଜୀ ଏବଂ ନୀତୁ ଡେଭିଡ୍।
ଗାଙ୍ଗୁଲିଙ୍କ କ୍ୟାରିୟର
ଅଫ୍-ସାଇଡ୍ର ଭଗବାନ କୁହାଯାଉଥିବା ସୌରଭ ଗାଙ୍ଗୁଲି ଭାରତ ପାଇଁ ୧୧୩ଟି ଟେଷ୍ଟ ଏବଂ ୩୧୧ଟି ଦିନିକିଆ (ODI) ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ଦାଦା ୪୨.୧୧ ହାରରେ ମୋଟ ୭,୨୧୨ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୬ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ସାମିଲ ଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର ୨୩୯ ରନ୍ ରହିଛି। ଏହା ସହିତ ସେ ବୋଲିଂରେ ୩୨ଟି ୱିକେଟ୍ ମଧ୍ୟ ନେଇଛନ୍ତି।
ଦିନିକିଆ ରେକର୍ଡ: ଦିନିକିଆରେ ଗାଙ୍ଗୁଲିଙ୍କ ଜଲୱା ଆହୁରି ଜବରଦସ୍ତ ଥିଲା। ସେ ୪୧.୦୨ ହାରରେ ୧୧,୩୩ ରନ୍ର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଦିନିକିଆରେ ତାଙ୍କ ନାମରେ ୨୨ଟି ଶତକ ଏବଂ ୭୨ଟି ଅର୍ଦ୍ଧଶତକ ରହିଛି। କେବଳ ବ୍ୟାଟିଂ ନୁହେଁ, ମିଡିୟମ୍ ପେସର୍ ଭାବେ ବୋଲିଂ କରି ସେ ଦିନିକିଆରେ ୧୦୦ଟି ୱିକେଟ୍ ମଧ୍ୟ ଶିକାର କରିଛନ୍ତି।