ନୂଆଦିଲ୍ଲୀ:ବିଶ୍ୱ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜ ଜୀବନ ପ୍ରତି ଥିବା ବିପଦକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଇରାନ ତାଙ୍କୁ ହତ୍ୟା କରିବା ପାଇଁ କ୍ରମାଗତ ଭାବେ ବଡ଼ ଷଡ଼ଯନ୍ତ୍ର ରଚୁଛି। କେବଳ ସେତିକି ନୁହେଁ, ସେ ନିଜକୁ ଇରାନର ‘ନମ୍ବର ୱାନ୍ ଟାର୍ଗେଟ୍’ ବୋଲି ମଧ୍ୟ ଅଭିହିତ କରିଛନ୍ତି। ନାଟୋ ଶିଖର ସମ୍ମିଳନୀ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ ଏହି ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ହଲଚଲ ସୃଷ୍ଟି ହୋଇଛି।
ତୁର୍କୀର ରାଜଧାନୀ ଅଙ୍କାରାରେ ଚାଲିଥିବା ନାଟୋ ସମିଟ୍ରେ ଟ୍ରମ୍ପ କହିଛନ୍ତି, "ଇରାନର କିଛି ନେତା ପୂର୍ବରୁ ଥିଲେ, ଯେଉଁମାନେ ଏବେ ଆଉ ନାହାନ୍ତି। ସେମାନଙ୍କର ଆଉ କିଛି ନେତା ମଧ୍ୟ ଥିଲେ, ଯେଉଁମାନେ ହୁଏତ ଦୁନିଆରେ ନାହାନ୍ତି। ଏବେ ବୋଧହୁଏ ମୋ ପାଳି, କାରଣ ମୁଁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ବା ନମ୍ବର ୱାନ୍ ଟାର୍ଗେଟ୍।" ଇରାନର ନେତୃତ୍ୱକୁ କଡ଼ା ସମାଲୋଚନା କରି ସେ ସେମାନଙ୍କୁ ‘ନିକୃଷ୍ଟ’ ବୋଲି କହିବା ସହ ଗତ ୪୭ ବର୍ଷ ଧରି ସେମାନେ ଏଭଳି କାର୍ଯ୍ୟକଳାପ ଚଳାଇ ଆସୁଥିବା ଅଭିଯୋଗ କରିଛନ୍ତି।
ଶେଷ ହେଲା ଇରାନ ସହ ଚୁକ୍ତି ପ୍ରକ୍ରିୟା!
ଏହି ସମ୍ମିଳନୀ ପୂର୍ବରୁ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଇରାନ ସହ ଚାଲିଥିବା ସମସ୍ତ ଆଲୋଚନା ଏବଂ ଚୁକ୍ତି କରିବାର ପ୍ରୟାସ ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ଇରାନ ଭଳି ଦେଶ ସହ କୌଣସି ପ୍ରକାର ଡିଲ୍ କରିବା କେବଳ ସମୟ ନଷ୍ଟ। ମେ ଆଜି ରାତିରେ ସେମାନଙ୍କୁ ଉଚିତ ଜବାବ ଦେବୁ। ସେମାନେ ପ୍ରତିଦିନ ଚୁକ୍ତିର ଉଲ୍ଲଂଘନ କରୁଛନ୍ତି।"
ଯେତେବେଳେ ସାମ୍ବାଦିକମାନେ ଟ୍ରମ୍ପଙ୍କୁ ପଚାରିଥିଲେ ଯେ ଇରାନ ସହ ଯୁଦ୍ଧବିରତି ଏବେ ମଧ୍ୟ ବଳବତ୍ତର ଅଛି କି? ଏହାର ଉତ୍ତରରେ ସେ ସିଧାସଳଖ କହିଥିଲେ, "ଯଦି ମୋ କଥା ପଚାରିବେ, ତେବେ ମୋ ପାଇଁ ଏହି ଯୁଦ୍ଧବିରତି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇସାରିଛି।"