ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଆହୁରି ତ୍ୱରାନ୍ୱିତ କରାଯିବ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସମସ୍ତ ଜିଲ୍ଲାପାଳମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ଥିର ହୋଇଥିବା ୨୨୦୦ ଆଦର୍ଶ ପ୍ରାଥମିକ ସ୍କୁଲର ନିର୍ମାଣ ପାଇଁ ଆସନ୍ତା ମାର୍ଚ୍ଚ ୨୦୨୭ସୁଦ୍ଧା ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଥରେ ଏହି ପ୍ରକଳ୍ପର ସମୀକ୍ଷା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପ ପାଇଁ ୨୨୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଏବଂ ଶିକ୍ଷା ଅଧିକାର ଅଧିନିୟମ (RTE)- ୨୦୦୯ ର ଲକ୍ଷ୍ୟ ହାସଲ କରିବା ସହ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ବର୍ତ୍ତମାନ ସୁଦ୍ଧା ୩୨୨ଟି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇସାରିଛି।
ବାକି ରହିଥିବା ସ୍କୁଲଗୁଡ଼ିକ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ସହଜ ଏବଂ ଶୀଘ୍ର ଶେଷ କରିବା ପାଇଁ ସ୍ଥାନୀୟ ବିଧାୟକମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଶାସନିକ କଳ ସମ୍ପୂର୍ଣ୍ଣ କ୍ରିୟାଶୀଳ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଟାର୍ଗେଟ ପୂରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ ଅଧିକାରୀ
ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ (Virtual) ମାଧ୍ୟମରେ ଯୋଗ ଦେଇଥିଲେ। ଏହା ସହିତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍. ତିରୁମାଲା ଏବଂ ଓସେପା (OSEPA) ର ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଲୋକସେବା ଭବନରେ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ହୋଇଥିଲେ।