ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିବା ଭାରତୀୟ ପୁରୁଷ କ୍ରିକେଟ ଦଳର ପ୍ରଦର୍ଶନରେ ଏବେ ବଡ଼ ଅବନତି ଦେଖିବାକୁ ମିଳିଛି। ବିଶ୍ୱକପ୍ ଜିତିବା ପରେ ଦଳ ଲଗାତାର ୫ଟି ଟି-୨୦ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ଏହାସହ ଟିମ୍ ଇଣ୍ଡିଆ ପଛକୁ ପଛ ଦୁଇଟି ଦ୍ୱିପାକ୍ଷିକ ସିରିଜ୍ ମଧ୍ୟ ହାତଛଡ଼ା କରିଛି। ପ୍ରଥମେ ଆୟରଲାଣ୍ଡ ବିପକ୍ଷରେ ଦଳ ୦-୨ ରେ ସିରିଜ୍ ହାରିଥିବା ବେଳେ ଏବେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ପରାଜୟ ବରଣ କରିଛି।
ଏହି ସଂକଟଜନକ ସ୍ଥିତି ମଧ୍ୟରେ ଏବେ ଏ କ ବଡ଼ ପ୍ରଶ୍ନ ଉଠିଛି ଯେ, ଏହି ଲଗାତାର ପରାଜୟ କଣ ଭାରତୀୟ ପୁରୁଷ ଦଳକୁ ୨୦୨୮ ଅଲିମ୍ପିକ୍ସ ଦୌଡ଼ରୁ ବାହାର କରିଦେବ କି?ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରଶ୍ନର ଉତ୍ତର 'ହଁ' ହୋଇପାରେ। ଲଗାତାର ହାରୁଥିବା ଟିମ୍ ଇଣ୍ଡିଆ ପାଇଁ ଅଲିମ୍ପିକ୍ସ ଖେଳିବା ଏବେ କଷ୍ଟକର ମନେ ହେଉଛି।
କଣ ରହିଛି ଆଇସିସିର ଅଲିମ୍ପିକ୍ସ ନିୟମ?
ନିକଟରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ, ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା ବିଭାଗରେ ମାତ୍ର ୬ଟି ଲେଖାଏଁ ଦଳ ଭାଗ ନେବେ। ଏଥିରେ ଏସିଆ, ଆଫ୍ରିକା, ୟୁରୋପ ଏବଂ ଓସେନିଆ ମହାଦେଶରୁ ଶୀର୍ଷ ଦଳଗୁଡ଼ିକୁ ପ୍ରତିନିଧିତ୍ୱ ମିଳିବ। ଏହାବାଦ୍ ଯଦି ଆୟୋଜକ ଦେଶ ଆମେରିକା ଆଇସିସିର୍ୟାଙ୍କିଙ୍ଗର ଟପ୍-୧୫ ମଧ୍ୟରେ ରହେ, ତେବେ ସେମାନଙ୍କୁ ସିଧାସଳଖ ଏଣ୍ଟ୍ରି ମିଳିବ। ବାକି ରହିଥିବା ଶେଷ ସ୍ଥାନଟି ଆଇସିସି ଅଲିମ୍ପିକ୍ସ କ୍ୱାଲିଫାୟର ମାଧ୍ୟମରେ ନିର୍ଣ୍ଣୟ କରାଯିବ।
ଭାରତୀୟ ମହିଳା ଦଳ ସୁରକ୍ଷିତ, ପୁରୁଷ ଦଳ ଚିନ୍ତାରେ
ଚଳିତ ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ ଜରିଆରେ ଭାରତ, ଦକ୍ଷିଣ ଆଫ୍ରିକା, ଗ୍ରେଟ୍ ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ଅଲିମ୍ପିକ୍ସ ଟିକେଟ୍ ପକ୍କା କରିସାରିଛନ୍ତି। ଏସିଆର ଶୀର୍ଷ ଦଳ ଭାବେ ଭାରତୀୟ ମହିଳା ବ୍ଲୁ-ବ୍ରିଗେଡ୍ କ୍ୱାଲିଫାଏ କରିସାରିଛି।ମହିଳା ଦଳ ଭଳି ଭାରତୀୟ ପୁରୁଷ ଦଳକୁ ମଧ୍ୟ ଅଲିମ୍ପିକ୍ସ ଟିକେଟ୍ ପାଇଁ ଏସିଆ ମହାଦେଶର ନମ୍ବର-୧ ଦଳ ହୋଇ ରହିବାକୁ ପଡ଼ିବ। ଆସନ୍ତା ୩୧ ଡିସେମ୍ବର ୨୦୨ ସୁଦ୍ଧା ଥିବା ଆଇସିସି ଟି-୨୦ ର୍ୟାଙ୍କିଙ୍ଗକୁ ଆଧାର କରି ଅଲିମ୍ପିକ୍ସ ଦଳ ଚୟନ ହେବ।
ବର୍ତ୍ତମାନ ଭାରତୀୟ ପୁରୁଷ ଦଳ ଯେଭଳି ଭାବେ ଲଗାତାର ମ୍ୟାଚ୍ ହାରୁଛି, ତାହା ତାଙ୍କ ଆଇସିସି ର୍ୟାଙ୍କିଙ୍ଗ ପଏଣ୍ଟକୁ ବହୁତ କମାଇ ଦେବ। ଯଦି ବର୍ଷ ଶେଷ ସୁଦ୍ଧା ପାକିସ୍ତାନ କିମ୍ବା ଶ୍ରୀଲଙ୍କା ଭଳି ଏସିଆର ଅନ୍ୟ କୌଣସି ଦଳ ର୍ୟାଙ୍କିଙ୍ଗରେ ଭାରତକୁ ପଛରେ ପକାଇ ଦିଏ, ତେବେ ଟିମ୍ ଇଣ୍ଡିଆ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ନିଶ୍ଚିତ। ୧୨୮ ବର୍ଷ ପରେ ଅଲିମ୍ପିକ୍ସ ମଞ୍ଚକୁ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେଉଥିବା ବେଳେ ବିଶ୍ୱବିଜେତା ଭାରତ ଏଥିରୁ ବଞ୍ଚିତ ହେବାର ଆଶଙ୍କା କ୍ରିକେଟ୍ ପ୍ରେମୀଙ୍କ ମନରେ ନିରାଶା ସୃଷ୍ଟି କରିଛି।