ଭୁବନେଶ୍ଵର: ଓଡ଼ିଶାରେ ଚଳିତ ମୌସୁମୀ ଋତୁରେ ବର୍ଷାର ସ୍ଥିତି ବେଶ୍ ଭଲ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ଏବେ ବି ୪ଟି ଜିଲ୍ଲାରେ ବର୍ଷାର ଅଭାବ ଦେଖିବାକୁ ମିଳିଛି। ବିଶେଷ କରି ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଆଶାନୁରୂପ ବର୍ଷା ହୋଇନଥିବାରୁ ଏଠାରେ ନିଅଣ୍ଟିଆ ସ୍ଥିତି ଉପଜିଛି।
ଅନ୍ୟପକ୍ଷରେ, ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ପରେ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କମାଇବା ପାଇଁ ଆଉ ୨ଟି ସୁଇସ୍ ଗେଟ୍କୁ ବନ୍ଦ କରାଯାଇଛି।
ବର୍ତ୍ତମାନ ହୀରାକୁଦର ମୋଟ ୮ଟି ସୁଇସ୍ ଗେଟ୍ ଦେଇ ବନ୍ୟା ଜଳ ମହାନଦୀକୁ ଛଡ଼ାଯାଉଛି। ଏଥିମଧ୍ୟରୁ ଜଳଭଣ୍ଡାରର ବାମପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱରୁ ୩ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ତଳମୁଣ୍ଡରେ ବନ୍ୟା ସ୍ଥିତି ସୁଧାରିବା ଏବଂ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ଇଞ୍ଜିନିୟରମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
Also read: ପ୍ରକାଶ ପାଇଲା B.Ed, M.Ed ଓ B.H.Ed ପ୍ରବେଶିକା ଫଳ; ଆଜିଠାରୁ SAMS ପୋର୍ଟାଲରେ ଦେଖନ୍ତୁ ରେଜଲ୍ଟ