ଢେଙ୍କାନାଳ: ଜୀବିତ ରୋଗୀକୁ ମୃତ ଘୋଷଣା କରିଦେଲେ ଡାକ୍ତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଡାକ୍ତରଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ସେପଟେ ମୃତ ରୋଗୀକୁ କିପରି ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁର ଅବସରପ୍ରାପ୍ତ ସୈନିକ ଚୈତନ୍ୟ ପରିଡା ନିଜ ଘର ପାଖ ଗୋପାଳ ସାହି କେନାଲ ପାଖରେ ଥିବା ଏକ ଜାମୁ କୋଳି ଗଛରୁ କୋଳି ତୋଳିବା ପାଇଁ ଗଛରେ ଚଢ଼ିଥିଲେ । ଅସାବଧାନତା କାରଣରୁ ସେ ଗଛରୁ ଖସି ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ପ୍ରଥମେ ମୃତ ଘୋଷଣା କରିଥିଲେ ଏବଂ ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚୈତନ୍ୟକୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସେପଟେ କାମାକ୍ଷାନଗର ମେଡିକାଲରେ ଡାକ୍ତର ମୃତ ଘୋଷଣା ପରେ ପୁନଶ୍ଚ ଚିକିତ୍ସା ପାଇଁ ପଠେଇବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି । କିନ୍ତୁ ଏସଡ଼ିଏମଓ ଡାକ୍ତର ଦିଗାମ୍ବର ସାହୁ କହିଛନ୍ତି ଯେ କାମାକ୍ଷାନଗର ଡାକ୍ତର ପ୍ରଥମେ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ସେ ବଞ୍ଚିଥିବା ବାଧ୍ୟ କରିଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା କହିଥିଲେ । ପରେ ଡାକ୍ତର ବାଧ୍ୟ ହୋଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଏସଡିଏମଓ । ତେବେ ଯାଞ୍ଚ ପରେ ଅଭିଯୋଗର ସ୍ପଷ୍ଟତା ଆସିପାରେ ।