ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। ଚଳିତ ଥର ନିର୍ଦ୍ଧାରିତ ସମୟ ତୁଳନାରେ ସାମାନ୍ୟ ବିଳମ୍ବରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ ଦାସ ଶୁକ୍ରବାର ସୂଚନା ଦେଇ କହିଛନ୍ତି ଯେ, ୨୦୨୭ ଜନଗଣନା ଓ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) କାର୍ଯ୍ୟ ମାର୍ଚ୍ଚର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହା ପରେ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ।
ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ ଏବଂ ମେ’ କିମ୍ବା ଜୁନ୍ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଏନେଇ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ସରିଥିବାବେଳେ ଆସନ୍ତା ୨୧ ତାରିଖରେ ପୁଣି ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ ହେବ।
ଏଥରର ପଞ୍ଚାୟତ ନିର୍ବାଚନର ସବୁଠାରୁ ବଡ଼ ବିଶେଷତା ହେଉଛି ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ। ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ଭୋଟରଙ୍କ ସୂଚନା ସଂଗ୍ରହ କରିବେ। 'ଆମ ବୁଥ୍, ଆମ ବାରି' ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍ର ଭୋଟର ତାଲିକାକୁ ଅଦ୍ୟତନ କରାଯିବ। ଏହାଦ୍ୱାରା ଭୁଲ୍ ତଥ୍ୟ, ଡୁପ୍ଲିକେଟ୍ ନାମ ଓ ଅନ୍ୟ ଅଞ୍ଚଳର ଭୋଟରଙ୍କ ନାମକୁ ସଠିକ୍ କରାଯିବ।
ରାଜ୍ୟର ୬,୭୯୪ଟି ପଞ୍ଚାୟତରେ ୯୧,୯୩୦ଟି ୱାର୍ଡ ବୁଥ୍ ରହିଛି। ଏତେ ବଡ଼ ପରିସରରେ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଏହି ସର୍ଭେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆୟୋଗ କହିଛି।
ନିର୍ବାଚନ ଆୟୋଗର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭୋଟର ନିଜ ଅଞ୍ଚଳର ବୁଥ୍ରେ ସହଜରେ ମତଦାନ କରିପାରନ୍ତୁ। ନୂଆ ବ୍ୟବସ୍ଥା ଫଳରେ ଭୋଟର ତାଲିକା ଅଧିକ ସ୍ୱଚ୍ଛ ହେବା ସହ ଭୋଟଦାନ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନ ଅଧିକ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ ହେବାକୁ ପ୍ରସ୍ତୁତି ଜୋରଦାର ହୋଇଛି।