ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକ ସେବା ଭବନରେ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି । ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ଫିଲ୍ଡ ଇନକ୍ୱାରୀ ବା କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ କୋଟିଏ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ।
ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟ କରଣ, ଇ-କେୱାଇସି, ଫିଲ୍ଡ ଇନକ୍ୱାରୀ, ଏନପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଇଯାଇଛି ଯେ ରାଜ୍ୟରେ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି । ସେହିପରି ୮୨ ହଜାର ୨୬ ଡିବିଟି ସକ୍ରିୟ କରଣ, ୨୮ ହଜାର ୬୨୧ ବାୟୋମେଟ୍ରିକ ଇକେୱାଇସି ଓ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ସେଗୁଡ଼ିକୁ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୨୫ ତାରିଖ ସୁଦ୍ଧା ଫିଲ୍ମ ଇନକ୍ୱାରୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ୨୮ ହଜାର ୬୨୧ ଜଣ ଆବେଦନକାରୀଙ୍କର ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ ସେମାନେ ଜୁଲାଇ ୨୫ ତାରିଖ ସୁଦ୍ଧା ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଦେଇ ପୁଣି ଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିପରି ଯେଉଁମାନେ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି ୫ ଏକର ଜମି ନ ଥାଇ କିସ୍ତି ପାଇବାରୁ ବାଦ ପଡ଼ିଛନ୍ତି କିମ୍ବା ଆୟକର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଫିଲ୍ମ ଇନକ୍ୱାରୀବେଳେ ଅଭିଯୋଗ କରିପାରିବେ । ବ୍ଲକ ସ୍ତରୀୟ କମିଟି ଏସବୁ ସମସ୍ୟାକୁ ବାହାର କରି ଉକ୍ତ ହିତାଧିକାରୀ କିସ୍ତି ପାଇବାକୁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ ।
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ । ଯେଉଁମାନେ ବିଲକୁଲ ପାଇନାହାଁନ୍ତି ସେମାନେ ମଧ୍ୟ ଏକକାଳୀନ ସୁଭଦ୍ରା କିସ୍ତି ପାଇପାରିବେ । ସେହିପରି ଯେଉଁମାନଙ୍କ ବକେୟା କିସ୍ତି ରହିଛି ସେମାନେ ମଧ୍ୟ ବକେୟା କିସ୍ତି ପାଇପାରିବେ । ଆଗାମୀ କିସ୍ତିରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।