କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ବିଦ୍ୟାଳୟ ପରିସରରେ କିଛି ଅଣଛାତ୍ର ଛାତ୍ରଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଅଣଛାତ୍ରଙ୍କ ଆକ୍ରମଣରେ ଛାତ୍ରାବାସରେ ରହୁଥିବା ୩ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି ।
ଗତ ବୁଧବାର ଦିନ ୧୧ଟା ସମୟରେ ଜଣେ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଶ୍ରେଣୀର ଜଣେ ଡେସକୁଲାର ଛାତ୍ର ଶ୍ରେଣୀ କୋଠରିରେ ଅସଦାଚରଣ କରିବା ପରେ ହଷ୍ଟେଲ ଛାତ୍ର ଓ ଡେସକୁଲାର ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଅପରାହ୍ନ ୩ଟା ରେ ବିଦ୍ୟାଳୟ ପରିସର ଭିତରକୁ କିଛି ଅଣଛାତ୍ରମାନେ ପଶି ଆସି ବିଦ୍ୟାଳୟର ଛାତ୍ରମାନଙ୍କୁ ମାରପିଟ କରିଥିଲେ । ଶେଷରେ ପ୍ରାଣ ବିକଳରେ ୩ ଜଣ ଦଶମ ଶ୍ରେଣୀ ଛାତ୍ର ଭୟରେ ଘରକୁ ପଳାଇଯାଇଥିଲେ ।
ବର୍ତ୍ତମାନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୧୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟ ପରିସରରେ ସିସିଟିଭି ଅଛି କିନ୍ତୁ କାମ କରୁନାହଁ । ପାଚେରୀ ଅଛି କିନ୍ତୁ ତାହା ଭଗ୍ନ ଅବସ୍ଥାରେ । ଯାଦ୍ୱାରା ବାହାର ଅସାମାଜିକ ଲୋକେ ଭିତରକୁ ପଶି ଆସୁଛନ୍ତି । ବିଗତ ଦିନରେ ଏହି ସ୍କୁଲରେ ଅନେକ ଘଟଣା ଘଟିଥିବା ବେଳେ ମଧ୍ୟ ଶିକ୍ଷା ବିଭାଗ ଚୁପ ରହିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଆଜି ଡବ୍ଲୁଇଓ ଏବଂ କର୍ଲାପାଟ ପୋଲିସ ସ୍କୁଲକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ଜଣା ପଡିବ ।