ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜଣେ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସକାଳେ ଘରେ ଦାନ୍ତ ଘଷୁଥିବାବେଳେ କେଉଁ ଆଡ଼େ ଚାଲି ଯାଇଛି । ବିଷ୍ଣୁ ପ୍ରସାଦ ବରାଳ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ବିଷ୍ଣୁଙ୍କ ମାଆଙ୍କ କହିବା ଅନୁସାରେ, ଆଜି ସକାଳେ ପୁଅକୁ ଟ୍ୟୁସନ ଯିବାକୁ ଉଠାଇଥିଲେ । ଘର ପାହାଚରେ ଦାନ୍ତ ଘଷୁଥିବାବେଳେ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ଏ ନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ବିଷ୍ଣୁ ପ୍ରସାଦଙ୍କ କୌଣସି ସନ୍ଧାନ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସେପଟେ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ କିଛି ଦିନ ତଳେ ଶିଶୁ ମନ୍ଦିରରେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ପିଲାଙ୍କ ମଧ୍ୟରେ ବସିବାକୁ ନେଇ ଗୁରୁଜୀ ବିଷ୍ଣୁଙ୍କୁ ତାଗିଦ କରି ଠିଆ ହେବାକୁ କହିଥିଲେ। ମାତ୍ର ବିଷ୍ଣୁ ପ୍ରସାଦ ଗୁରୁଜୀଙ୍କ କଥା ମାନି ନଥିଲେ। ଯାହାକୁ ନେଇ ଶିଶୁ ମନ୍ଦିର ପକ୍ଷରୁ ଅଭିଭାବକଙ୍କୁ ଅବଗତି କରାଯାଇଥିଲା। ଏ ନେଇ ବିଷ୍ଣୁ ପ୍ରସାଦଙ୍କ ମାଆ ମଧ୍ୟ ଗୁରୁଜୀଙ୍କୁ ଭୁଲ ମାଗିବାକୁ ପୁଅକୁ କହିଥିଲେ। ମାତ୍ର ବିଷ୍ଣୁ ପ୍ରସାଦ କହିଥିଲେ, “ମୁଁ ଭୁଲ କରିନାହିଁ କି ଭୁଲ ମାଗିବି ନାହିଁ”। ଯାହାକୁ ନେଇ ଆଜି ସକାଳୁ ସେ କେଉଁ ଆଡେ ଚାଲିଯାଇଥିବା ଜଣାପଡିଛି । ଏ ନେଇ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଖୋଜା ଖୋଜି ଆରମ୍ଭ କରି ଦେଇଛି।