ଗଜପତି: ଗଜପତି ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପୁନର୍ବାସ ପ୍ୟାକେଜ୍ ଘୋଷଣା କରାଯାଇଛି । ମୋଟ ୭୮ ବିସ୍ଥାପିତ ପରିବାରଙ୍କ ପାଇଁ ୮ କୋଟି ୪୮ ଲକ୍ଷ କୋଟିର ପୁନର୍ବାସ ପ୍ୟାକେଜ୍ ଘୋଷଣା କରାଯାଇଛି ।
ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଅନ୍ତର୍ଗତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ସୁଗୁବା, ତିଲିଗାଁ, ଛାଡ଼ିଆପଡ଼ା, କାକିଲି ଓ ବିଦ୍ୟାଧରପୁର ଗାଁର ୭୮ ପରିବାରକୁ ବିସ୍ଥାପିତ କରାଯାଇଥିଲା । ସଂଶୋଧିତ ଆର୍ଥିକ ପ୍ୟାକେଜ୍ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଜଳ ସମ୍ପଦ ବିଭାଗ ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କା ପ୍ୟାକେଜ୍ ଘୋଷଣା କରିଛି । ଏହି ଅର୍ଥରାଶି ବିସ୍ଥାପିତଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ପରେ ହିଁ ସହାୟତା ରାଶି ମୁକ୍ତ କରାଯିବ । ସମସ୍ତ ଟଙ୍କା ଡିବିଟି ବ୍ୟବସ୍ଥାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ ।
ଗଞ୍ଜାମ ଓ ଗଜପତି ଜିଲ୍ଲାର ଜୀବନ ରେଖା ହେଉଛି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ । ଏହି ବହୁମୁଖୀ ମଧ୍ୟମ ଧରଣର ଜଳ ସେଚନ ପ୍ରକଳ୍ପ ବଂଶଧରାର ଶାଖା ନଦୀ ବଡ଼ଝର ନଦୀ ଉପରେ ନିର୍ମାଣ ହୋଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ୫,୭୬୦ ହେକ୍ଟର ଏବଂ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବ । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।