କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସର ଟାୟାର ପଙ୍କଚର ହେବା ଏବଂ ସମୟମତେ ବିକଳ୍ପ ବ୍ୟବସ୍ଥା ନ ହେବାରୁ ୧୧ ବର୍ଷୀୟା ରିୟା ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ଆମ୍ବୁଲାନ୍ସ ପରିଚାଳନାକାରୀ ସଂସ୍ଥା ତୁରନ୍ତ ପଦକ୍ଷେପ ନେଇ ଡ୍ୟୁଟିରେ ଥିବା ଡ୍ରାଇଭର ଓ କ୍ଲଷ୍ଟର ଲିଡରଙ୍କୁ ସସ୍ପେଣ୍ଡ କରିଛି।
ସୂଚନା ଅନୁସାରେ, ନର୍ଲା ବ୍ଲକ୍ ଅଧୀନ ତୁଳାପଡ଼ା ଗାଁର ରିୟା ନାୟକ ଉଚ୍ଚ ଜ୍ୱର ଓ ପେଟ ଯନ୍ତ୍ରଣାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ନର୍ଲା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ସକାଳ ୯ଟା ୩୨ ମିନିଟରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା।
୯ଟା ୩୭ ମିନିଟରେ ରୂପ୍ରା ପିଏଚସିରୁ ଏକ ଆମ୍ବୁଲାନ୍ସ ପଠାଯାଇଥିଲା ଏବଂ ସକାଳ ୧୦ଟା ୧ ମିନିଟରେ ହସ୍ପିଟାଲରେ ପହଞ୍ଚିଥିଲା। ସେତେବେଳେ ରିୟାଙ୍କ ନାଡ଼ି ସ୍ପନ୍ଦନ ଅତ୍ୟନ୍ତ କମ୍ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ହସ୍ପିଟାଲକୁ ନେବା ବାଟରେ ଛତିକୁଡ଼ା ନିକଟରେ ଆମ୍ବୁଲାନ୍ସର ପଛ ଟାୟାର ପଙ୍କଚର ହୋଇଯାଇଥିଲା। କର୍ମଚାରୀମାନେ ଷ୍ଟେପନି ଲଗାଇ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ କିଛି ସମୟ ପରେ ସେହି ଷ୍ଟେପନି ମଧ୍ୟ କମ୍ ବାୟୁଚାପ ଯୋଗୁଁ ପଙ୍କଚର ହୋଇଯାଇଥିଲା।
ଏହାପରେ କଣ୍ଟ୍ରୋଲ ରୁମ୍କୁ ଖବର ଦିଆଯିବା ପରେ ଆଉ ଏକ ଆମ୍ବୁଲାନ୍ସ ପଠାଯାଇଥିଲା। ଦ୍ୱିତୀୟ ଆମ୍ବୁଲାନ୍ସ ପ୍ରାୟ ୧୧ଟା ୧୧ ମିନିଟରେ ଘଟଣାସ୍ଥଳରେ ପହଞ୍ଚି ରିୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଆମ୍ବୁଲାନ୍ସର ଷ୍ଟେପନି ମଧ୍ୟ ଅଚଳ ଥିଲା ଏବଂ ବିକଳ୍ପ ବ୍ୟବସ୍ଥା ତୁରନ୍ତ କରାଯାଇନଥିବାରୁ ଅମୂଲ୍ୟ ଜୀବନ ଚାଲିଗଲା।
ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଡ୍ରାଇଭର ଓ କ୍ଲଷ୍ଟର ଲିଡରଙ୍କୁ ସସ୍ପେଣ୍ଡ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଆହୁରି କଡ଼ା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମ୍ବୁଲାନ୍ସ ପରିଚାଳନାକାରୀ ସଂସ୍ଥା ସ୍ପଷ୍ଟ କରିଛି।