ବଲାଙ୍ଗିର: ଓଡ଼ିଶାରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଅବକାରୀ ବିଭାଗକୁ ପୂର୍ବରୁ ଖବର ମିଳିଥିଲା ଯେ କନ୍ଧମାଳର ବାଲିଗୁଡ଼ାରୁ ଦୁଇଟି ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଦିଲ୍ଲୀକୁ ଚାଲାଣ ହେଉଛି। ଏହାପରେ ତୁଷୁରା–ଦେଓଗାଁ ରାସ୍ତାରେ ଅବକାରୀ ଟିମ୍ କଡ଼ା ନଜର ରଖିଥିଲେ। ଡାଙ୍ଗାପଥର ଓ ପାଇକ ସମରା ଛକ ନିକଟରେ ଦୁଇଟି ଗାଡ଼ିକୁ ଅଟକାଇ ତଲାସି କରାଯାଇଥିଲା।
ତଲାସି ବେଳେ ଗୋଟିଏ ଗାଡ଼ିରୁ ୧.୬୦ କ୍ୱିଣ୍ଟାଲ ଏବଂ ଅନ୍ୟ ଏକ ପିକ୍ଅପ୍ ଭ୍ୟାନ୍ (OD-21B-3281)ରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଗଞ୍ଜେଇକୁ ୨୪ଟି କପଡ଼ା ବସ୍ତାରେ ପ୍ୟାକ୍ କରାଯାଇଥିଲା।
ଏହି ଚଢ଼ାଉରେ ଦକ୍ଷିଣ ଦିଲ୍ଲୀର ଓମ୍ ପ୍ରକାଶ, ଲୁଧିଆନାର ବିଶାଳ, ଉତ୍ତର-ପଶ୍ଚିମ ଦିଲ୍ଲୀର ରମେଶ ଏବଂ କନ୍ଧମାଳର ବାଲିଗୁଡ଼ାର ଜଗ ମଲ୍ଲିକଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ବଲାଙ୍ଗିର କୋର୍ଟକୁ ଚାଲାଣ କରାଯାଇଛି।
ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଅଭିଯାନ ସଫଳ ହୋଇଥିଲା। ଟିଟିଲାଗଡ଼ ଅବକାରୀ ଇନ୍ସପେକ୍ଟର, ମୋବାଇଲ୍ ୟୁନିଟ୍, ସର୍କଲ୍ ଇନ୍ସପେକ୍ଟର ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ଏହି ଚଢ଼ାଉରେ ସହଯୋଗ କରିଥିଲେ। ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିଶା କାରବାର ରୋକିବା ପାଇଁ ଆଗାମୀ ଦିନରେ ଏଭଳି ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।