ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କୁମ୍ଭ ସୁବାସିତ ଜଳରେ ମହାସ୍ନାନ ପରେ ଅସୁସ୍ଥ ହୋଇ ଅଣସର ଘରେ ବିରାଜମାନ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ସୁସ୍ଥତା ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ନୀତି ଓ ଔଷଧୀୟ ଉପଚାର ଜାରି ରହିଛି। ଅନବସର ଦଶମୀ ତିଥିରେ ଆଜି ମହାପ୍ରଭୁଙ୍କର ପବିତ୍ର ଚକାବିଜେ (ଚକା ଅପସର) ନୀତି ସମ୍ପନ୍ନ ହେବ। ଏହା ସହିତ ଶ୍ରୀମନ୍ଦିରକୁ ପହଞ୍ଚିବ ପାରମ୍ପରିକ ଔଷଧ ଦଶମୂଳ ମୋଦକ, ଯାହାକୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ଲାଗି କରାଯିବ।
ପରମ୍ପରା ଅନୁଯାୟୀ, ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ୧୦ ପ୍ରକାରର ଔଷଧୀୟ ଚେରମୂଳି ସହ ବିଭିନ୍ନ ପ୍ରାକୃତିକ ଉପାଦାନ ମିଶାଇ ଦଶମୂଳ ମୋଦକ ପ୍ରସ୍ତୁତ କରନ୍ତି। ଶାଳପର୍ଣ୍ଣି, ବେଲ, ପାଟଳି, ଗମ୍ଭାରୀ, ଗୋଖରା, କୃଷ୍ଣପର୍ଣ୍ଣି, ଲବଙ୍ଗ, ଦେଶୀ ଘିଅ, ମହୁ, ଖୁଆ ଓ ଅନ୍ୟାନ୍ୟ ଦ୍ରବ୍ୟରେ ପ୍ରସ୍ତୁତ ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଏ। ବିଶ୍ୱାସ ରହିଛି, ଏହି ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
ଅନ୍ୟପଟେ, ରଥଯାତ୍ରାକୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଶ୍ରୀକ୍ଷେତ୍ରରେ ଜୋରଦାର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ରଥର ଆନୁସଙ୍ଗିକ କାଠ କାମ ପ୍ରାୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ଉପରି ଭାଗର ବିଭିନ୍ନ ଅଂଶ ଯୋଡ଼ାଯାଉଛି। ପରମ୍ପରା ଅନୁସାରେ ଭୋଇ ସେବାୟତମାନେ ରଥଚାଳି କାଢ଼ି ସେଥିରୁ ପ୍ରସ୍ତୁତ ବାଉଁଶ କଇଁଚି ଦ୍ୱାରା ତିନି ରଥର ଦୁଆରବେଢ଼ା ଉପରକୁ ଉଠାଇବା କାମ କରୁଛନ୍ତି।
ଅଣସର ଘରେ ଚାଲିଥିବା ଏହି ଗୁପ୍ତ ନୀତି, ଦଶମୂଳ ମୋଦକ ପ୍ରସ୍ତୁତି ଓ ରଥଯାତ୍ରା ପାଇଁ ଚାଲିଥିବା ବ୍ୟସ୍ତ ପ୍ରସ୍ତୁତି ମଧ୍ୟରେ ଶ୍ରୀକ୍ଷେତ୍ର ଏବେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକ ଆବେଗରେ ସମ୍ପୂର୍ଣ୍ଣ ମଗ୍ନ। ନବଯୌବନ ଦର୍ଶନ ଓ ମହାପ୍ରଭୁଙ୍କ ରଥାରୂଢ଼ ହେବାର ପବିତ୍ର ମୁହୂର୍ତ୍ତକୁ ନେଇ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ରହିଛନ୍ତି।