ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପ୍ରଥମ ଦିନରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୦ଟି ଗେଟ୍ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଗେଟ୍ ଖୋଲାଯାଇଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ପୂର୍ବାହ୍ନରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯାଇଥିଲା । ପୂର୍ବାହ୍ନ ୧୧.୪୬ ମିନିଟ୍ରେ ପ୍ରଥମ, ୧୧.୫୦ ମିନିଟ୍ରେ ଦ୍ୱିତୀୟ ଏବଂ ୧୧.୫୨ ମିନିଟ୍ରେ ତୃତୀୟ ଗେଟ୍ଟିକୁ ଖୋଲାଯାଇଥିଲା। ଏହାପରେ ମଧ୍ୟାହ୍ନ ୧୨.୨୨ ମିନିଟ୍ରେ ଡାହାଣପଟୁ ମଧ୍ୟ ଜଳ ନିଷ୍କାସନର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପରେ ଅପରାହ୍ନରେ ଆଉ 6ଟି ଗେଟ୍ ଖୋଲାଯାଇଛି । ଅପରାହ୍ଣ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୩ ଫୁଟ ରହିଛି | ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୭୪ ହଜାର ୧୮୧ କ୍ୟୁସେକ ପାଣି ପ୍ରବେଶ କରୁଛି । ୮୮,୩୭୨ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ସ୍ଲିପୱେ ଦେଇ ୫୯,୩୧୪, ପାୱାର ଚ୍ୟାନଲ ଦେଇ ୨୫,୪୮୧, ଶିଳ୍ପକୁ ୨୪୭, କେନାଲରେ ୩,୩୩୦ କ୍ୟୁସେକ ପାଣି ପ୍ରବାହିତ ହେଉଛି ।