କଳାହାଣ୍ଡି: ଆମ୍ବୁଲାନ୍ସ ତ୍ରୁଟି ଯୋଗୁଁ ଚାଲିଗଲା ନାବାଳିକାର ଜୀବନ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ତୁଲାପଡାରୁ ଆସିଛି ଏଭଳି ଅଭିଯୋଗ ।
ତୁଲାପଡ଼ା ଗ୍ରାମର ଡିଙ୍ଗର ନାଏକଙ୍କ ୧୧ ବର୍ଷର ଝିଅ ରିଆ ନାଏକକୁ ଅସୁସ୍ଥ ଲାଗିବାରୁ ନର୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ରିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ 108 ଆମ୍ବୁଲାନ୍ସ ଯୋଗେ ରିଆଙ୍କୁ ସ୍ଥାନାନ୍ତରିତ କରିବା ବାଟରେ ଆମ୍ବୁଲାନ୍ସର ପଛ ଚକା ପମ୍ପଚର ହୋଇଯାଇଥିଲା । ଆମ୍ବୁଲାନ୍ସରେ ଥିବା ଅନ୍ୟ ଏକ ଚକା ମଧ୍ୟ ଅସଜଡ଼ା ଅବସ୍ଥାରେ ଥିଲା । ତେଣୁ ଗାଡ଼ି ସଜାଡ଼ିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗି ଥିଲା । ଏହାରି ମଧ୍ୟରେ ଅନ୍ୟ ଏକ ଆମ୍ବୁଲାନ୍ସର ପ୍ରାୟ ୩ ଘଣ୍ଟା ବିଳମ୍ବିରେ ନାବାଳିକାକୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଚାଲିଗଲା ୧୧ ବର୍ଷୀୟ ରିୟାଙ୍କ ଜୀବନ l
ନାବାଳିକାର ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି । ଆମ୍ବୁଲାନ୍ସ ଖରାପ ହେବାରୁ ଝିଅର ମୃତ୍ୟୁ ହୋଇଥିବା କହିଛନ୍ତି । ସେପଟେ କେଉଁ ଭଳି ପରିସ୍ଥିତି ରେ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ । ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।