ପୁରୀ: ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ସକାଳେ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଏକ ଡ୍ରୋନ୍ ଉଡ଼ୁଥିବା ଦେଖାଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଥିଲା। ଖବର ପାଇବା ପରେ ପୁରୀ ଏସ୍ପି ପ୍ରତୀକ ସିଂହ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ସିଂହଦ୍ୱାର ଥାନା ପୁଲିସକୁ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପୁଲିସ ଟିମ୍ ତଦନ୍ତ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍କୁ ଜବତ କରିବା ସହ ଏହାକୁ ଉଡ଼ାଉଥିବା ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖିଛି। ଅଟକ ଯୁବକଙ୍କ ପରିଚୟ ଜୟକୃଷ୍ଣ ମଣ୍ଡଳ, ଘର କୋଲକାତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।
ପୁଲିସ କହିଛି ଯେ, ଡ୍ରୋନ୍ ଉଡ଼ାଇବା ପଛରେ ଉଦ୍ଦେଶ୍ୟ କ'ଣ ଥିଲା, ଏହା କେଉଁଠାରୁ ଏବଂ କେଉଁ ଅନୁମତିରେ ଉଡ଼ାଯାଇଥିଲା, ସେନେଇ ବିସ୍ତୃତ ତଦନ୍ତ ଚାଲିଛି। ତଦନ୍ତ ପରେ ଆଇନ ଅନୁଯାୟୀ ଯଥାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିକଟ ଅତୀତରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବା ଏହା ଦ୍ୱିତୀୟ ଘଟଣା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଏଭଳି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି। ସୁରକ୍ଷା ଏଜେନ୍ସିମାନେ ସମଗ୍ର ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛନ୍ତି।