ପୁରୀ: ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ପ୍ରଚାର ପ୍ରସାର କରୁଛି ଇସ୍କନ ସେହି ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଖୋଲାଖୋଲି ଅବମାନନା କରୁଛି ଇସ୍କନ । ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଆଲୋଚନାକୁ ଓହରିଛି ବୋଲି ଇସ୍କନ ଇ-ମେଲ୍ ଜରିଆରେ ଗଜପତିଙ୍କ ଚିଠିର ଉତ୍ତର ଦେଇଛି ।
ଗତ ଜୁଲାଇ ୪ ତାରିଖରେ ଇସ୍କନକୁ ଚିଠି ଲେଖି ତିଥି ବିହୀନ ରଥଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମାକୁ ବନ୍ଦ କରିବାକୁ ଇସ୍କନକୁ ପୁନର୍ବାର ଅନୁରୋଧ କରିଥିଲେ । ଗତ ଜୁଲାଇ ୭ ତାରିଖରେ ଇସ୍କନ ଅଧ୍ୟକ୍ଷ ଶ୍ରୀ ମଧୁସେବେତ ଦାସ ଇ-ମେଲ୍ ଜରିଆରେ ଚିଠିର ଜବାବ ରଖିଛନ୍ତି । ସମ୍ମାନ ସହିତ ସେ ଆଲୋଚନାରୁ ଓହରୁଛନ୍ତି ବୋଲି ଜବାବ ରଖିଛନ୍ତି । ଏ ନେଇ ଗଜପତି ମହାରାଜ ସୂଚନା ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଇସ୍କନର ଏହି ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଗଜପତି ମହାରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁଇ ଦୁଇ ଥର ଚିଠି ଲେଖି ସାରିଛନ୍ତି । ଗଜପତିଙ୍କ ସୂଚନା ଅନୁସାରେ, ଇସ୍କନ ଚଳିତ ବର୍ଷ ମେ ପହିଲା ପରଠାରୁ ଇଂଲଣ୍ଡ, କାନାଡ଼ା, ଦକ୍ଷିଣ ଆଫ୍ରିକା, ଆମେରିକା, ସୁଇଜରଲ୍ୟାଣ୍ଡ ଏବଂ ଜର୍ମାନୀ ସମେତ ୨୮ଟି ସ୍ଥାନରେ ତିଥି ବିହୀନ ସ୍ନାନ ଯାତ୍ରା ଆୟୋଜନ କରିଛି । ସେହିପରି ସେହି ୨୮ଟି ସ୍ଥାନରେ ମେ ଏବଂ ଜୁନ ମାସରେ ତିଥି ବିହୀନ ରଥ ଯାତ୍ରା ମଧ୍ୟ ପାଳନ କରାଯାଇଛି । ଯାହା ଦ୍ୱାରା ଜଗନ୍ନାଥ ପରମ୍ପରାର ପବିତ୍ରତା କ୍ଷୁର୍ଣ୍ଣ ହେଉଛି ।