କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଇନଗତ ଲଢ଼େଇରେ ମିଳିଛି ଏକ ବଡ଼ ଆଶ୍ୱସ୍ତି। ଦଳର ଫ୍ରିଜ୍ ହୋଇ ରହିଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ନେଇ କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଟିଏମସି ନିଜର ଦୈନନ୍ଦିନ କାର୍ଯ୍ୟ ଏବଂ ଜରୁରୀ ଖର୍ଚ୍ଚ ପାଇଁ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରିପାରିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି।
ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଟିଏମସିକୁ ଏହି ସର୍ତ୍ତମୂଳକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସୁବ୍ରତ ତାଲୁକଦାରଙ୍କୁ ଏହି ଆକାଉଣ୍ଟଗୁଡ଼ିକର ପରିଚାଳନା ପାଇଁ 'ସ୍ପେଶାଲ ଅଫିସର' ଭାବେ ନିଯୁକ୍ତ କରାଯାଇଛି। ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ ଦଳର ଦୈନନ୍ଦିନ ଖର୍ଚ୍ଚ କରାଯିବ। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ।
ଶୁଣାଣି ସମୟରେ ହାଇକୋର୍ଟ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଆସିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ କେଉଁ ଆଧାରରେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ହଠାତ୍ ପଦକ୍ଷେପ ନେବା ପାଇଁ ପୋଲିସ ପାଖରେ କୌଣସି ପ୍ରମାଣ ଥିବା ଜଣାପଡୁନାହିଁ। ଯଦି ଏଭଳି ଭାବେ ଏକ ରାଜନୈତିକ ଦଳର ଆକାଉଣ୍ଟକୁ ଅଚଳ କରିଦିଆଯାଏ, ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମାନ ସୁଯୋଗ ବାଧାପ୍ରାପ୍ତ ହେବ।
କ’ଣ ଥିଲା ପୂରା ମାମଲା ?
ସୂଚନାଯୋଗ୍ୟ ଯେ, ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀର ବିଧାୟକମାନଙ୍କ ଅଭିଯୋଗ ଆଧାରରେ ବିଧାନନଗର ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ପୋଲିସର ନିର୍ଦ୍ଦେଶକ୍ରମେ ପ୍ରାୟ ୪୪୦ କୋଟି ଟଙ୍କା ଥିବା ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଡେବିଟ୍ ଫ୍ରିଜ୍ କରିଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ମୂଳ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
Also Read: ଯେଉଁ ୟୁରାନିୟମ ପାଇଁ ରକ୍ତ ପିପାସୁ ୟୁଏସ-ଇରାନ, ତାକୁ ନେଇ ଭାରତ କରୁଛି ବଡ ଡିଲ୍