ମୁମ୍ବାଇ: ଟ୍ରେନ୍ର ପ୍ରଥମ ଏସି କ୍ୟାବିନକୁ ହନିମୁନ୍ ସୁଇଟ୍ରେ ପରିଣତ କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଦକ୍ଷିଣ ମଧ୍ୟ ରେଳବାଇ (SCR) କଡ଼ା ପଦକ୍ଷେପ ନେଇ ଡ୍ୟୁଟିରେ ଥିବା ଟିଟିଇଙ୍କୁ ତୁରନ୍ତ ସସପେଣ୍ଡ କରିଛି। ଏହି ଘଟଣା ମୁମ୍ବାଇ ଅଭିମୁଖେ ଯାଉଥିବା ନନ୍ଦୀଗ୍ରାମ ଏକ୍ସପ୍ରେସରେ ଘଟିଥିଲା।
ସୂଚନା ଅନୁଯାୟୀ, ଜୁଲାଇ ୬ରେ ମହାରାଷ୍ଟ୍ରର ଜାଲନା ଷ୍ଟେସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍କୁ ଯାଉଥିବା ଏକ ନବବିବାହିତ ଦମ୍ପତିଙ୍କ ପାଇଁ ଏକ ବେସରକାରୀ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଟ୍ରେନ୍ର ପ୍ରଥମ ଏସି କୁପେକୁ ସଜାଇଥିଲା। ବେଲୁନ୍, ଗୋଲାପ ଫୁଲ, ମହମବତୀ ଓ ଗୋଲାପ ପାଖୁଡ଼ାରେ ସମ୍ପୂର୍ଣ୍ଣ କ୍ୟାବିନକୁ ସଜାଯାଇଥିଲା। କାନ୍ଥରେ ବଡ଼ ଅକ୍ଷରରେ "I LOVE YOU" ଲେଖାଯାଇ ଏହାକୁ ଏକ ବିଳାସପୂର୍ଣ୍ଣ ହନିମୁନ୍ ରୁମ୍ର ରୂପ ଦିଆଯାଇଥିଲା।
ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନମାନେ ଏହାକୁ "Suhagraat Express" ଏବଂ "Honeymoon-on-Wheels" ନାମ ଦେଇ ମଜାଦାର ମିମ୍ ଓ ପୋଷ୍ଟ କରିଥିଲେ। କେହି କେହି ତ ରେଳବାଇକୁ ପରାମର୍ଶ ଦେଇଥିଲେ ଯେ, କର୍ମଚାରୀଙ୍କୁ ସସପେଣ୍ଡ କରିବା ବଦଳରେ ଏଭଳି ପେଡ୍ ହନିମୁନ୍ ଡେକୋରେସନ୍ ପ୍ୟାକେଜ୍ ଆରମ୍ଭ କରାଯାଉ।
କିନ୍ତୁ ଭାଇରାଲ ଭିଡିଓ ପରେ ରେଳବାଇ ପକ୍ଷରୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ଦକ୍ଷିଣ ମଧ୍ୟ ରେଳବାଇ ନିଜର ଏକ୍ସ (ପୂର୍ବତନ ଟ୍ୱିଟର) ପୋଷ୍ଟରେ ସ୍ପଷ୍ଟ କରିଛି ଯେ, ଟ୍ରେନ୍ ଭିତରେ ବାହାରର ଡେକୋରେଟରଙ୍କ ପ୍ରବେଶ ପାଇଁ କୌଣସି ଅନୁମତି ନଥିଲା। ଜାଲନା ଷ୍ଟେସନରେ ବିନା ଅନୁମତିରେ ଡେକୋରେଟରଙ୍କୁ କୋଚ୍ ଭିତରକୁ ଛାଡ଼ିବା ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ବୋଲି କୁହାଯାଇଛି।
ଏହି ଅଭିଯୋଗରେ ସମ୍ପୃକ୍ତ ଟିଟିଇଙ୍କୁ ତୁରନ୍ତ ସସପେଣ୍ଡ କରାଯିବା ସହ ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ ସ୍ପଷ୍ଟ କରିଛି।
ଏହି ଘଟଣା ପୁଣିଥରେ ରେଳବାଇର ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ସୋସିଆଲ ମିଡିଆରେ ଏହାକୁ ନେଇ ହସ-ମଜା ଚାଲିଥିଲେ ମଧ୍ୟ ରେଳବାଇ ଏହାକୁ ସୁରକ୍ଷା ଦୃଷ୍ଟିରୁ ଗୁରୁତର ଉଲ୍ଲଂଘନ ଭାବେ ବିବେଚନା କରିଛି।