ବାଲେଶ୍ୱର: ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇ ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଓଡ଼ିଶାର ଥିବାବେଳେ ଅନ୍ୟ ୧୨ ଜଣ ପଶ୍ଚିମବଙ୍ଗର ବାସିନ୍ଦା ଅଟନ୍ତି । ଗୋଟିଏ ପରିବାର ତିନି ଭାଇ ନିଖୋଜ ଅଛନ୍ତି । ସେମାନେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଜୟରାମ ମାଝୀ, ରବୀନ୍ଦ ମାଝୀ ଓ ଜଗନ୍ନାଥ ମାଝୀ । ତିନି ଭାଇଙ୍କୁ ତରୁନ୍ତ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନକୁ ଗୁହାରୀ କରିଛନ୍ତି ।
ସମୁଦ୍ରରେ ମିଠା ପାଣି ପଡିଲେ ଇଲିସି ମାଛ ଗଭୀର ସମୁଦ୍ରରୁ ଉପର ଉଠି ଆସି ଥାଏ, ଫଳରେ ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରିବା ପାଇଁ ସୁବିଧା ହୋଇଥାଏ । ସେଥିପାଇଁ ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ "ମାଆ କାଳୀ" ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଭିତରକୁ ମାଛ ମାରିବାକୁ ଯାଇଥିଲେ । ସେଥିରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଜୟରାମ ମାଝୀ, ରବୀନ୍ଦ ମାଝୀ ଓ ଜଗନ୍ନାଥ ମାଝୀ ମଧ୍ୟ ଥିଲେ । କିନ୍ତୁ ଯେବେଠାରୁ ଟ୍ରଲରଟି ନିର୍ଦ୍ଧାରିତ ସମୟରେ ଆଉ ଫେରି ନାହିଁ । ସେମାନଙ୍କ ସହିତ କୌଣସି ଯୋଗାଯୋଗ ମଧ୍ୟ ହୋଇ ପାରୁନାହିଁ ।
ଫଳରେ ଟ୍ରଲର ଏବଂ ସେଥିରେ ଥିବା ୧୫ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ଆଶା ଆଶଙ୍କାରେ ପରିବାର ଲୋକ, ଘରେ ଆଉ ଚୂଲି ଜଳୁ ନାହିଁ । ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ନିଖୋଜ ମତ୍ସ୍ୟଜୀବୀଙ୍କ ତୁରନ୍ତ ସନ୍ଧାନ ପାଇଁ ପ୍ରଶାସନକୁ ନୌସେନାର ହେଲିକପ୍ଟର ସହାୟତା ନେବାକୁ ଅନୁରୋଧ କରିଛନ୍ତି। ସମୁଦ୍ରରେ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି ।