କଟକ: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ କଟକ ଜିଲ୍ଲା ପ୍ରଶାସନ ସତର୍କ ହୋଇପଡ଼ିଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ସହ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏକାଧିକ କଟକଣା ଜାରି କରିଛନ୍ତି। ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ନଦୀକୂଳ ଓ ଘାଟ ଅଞ୍ଚଳରେ କଡ଼ା ନଜର ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ପ୍ରଶାସନଙ୍କ ଆଦେଶ ଅନୁସାରେ, ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା କିମ୍ବା ନଦୀ ମଧ୍ୟକୁ ପ୍ରବେଶ କରିବାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
କଟକ ମହାନଗର ନିଗମ (ସିଏମସି) କମିଶନର ଏବଂ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ କୁହାଯାଇଛି। ସେହିପରି ସମସ୍ତ ଥାନାର ଆଇଆଇସି ଓ ପୁଲିସ ପାଟ୍ରୋଲିଂ ଟିମ୍କୁ ନଦୀ ଘାଟରେ କଡ଼ା ପହରା ଦେବା ସହ ଲୋକଙ୍କୁ ନଦୀକୂଳକୁ ଯିବାରୁ ବାରଣ କରିବାକୁ ନିର୍ଦ୍ଦେଶ ମିଳିଛି।
ଏଥିସହ ଜିଲ୍ଲାର ସମସ୍ତ ବାଲିଘାଟରେ ବାଲି ଉଠାଣ ଓ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ମହାନଦୀ, ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ମୁଣ୍ଡଳି ଓ ଯୋବ୍ରା ବ୍ୟାରେଜ ସମେତ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍ଫି ନେବା, ଫଟୋ ଉଠାଇବା କିମ୍ବା ଭିଡିଓ କରିବା ପାଇଁ ଭିଡ଼ ଜମାଇବାକୁ ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି।ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ କୌଣସି ପ୍ରକାର ଗୁଜବକୁ ଏଡ଼ାଇ ପ୍ରଶାସନର ପରାମର୍ଶ ମାନିବା ଏବଂ ଅନାବଶ୍ୟକ ଭାବେ ନଦୀକୂଳକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।