ଢେଙ୍କାନାଳ: ଦୁଇ ମାସ ତଳେ ଦାବି ପୂରଣ ପାଇଁ ମୋବାଇଲ୍ ଟାୱାର ଉପରକୁ ଚଢ଼ି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ଓଏସଏପି (OSAP) କନଷ୍ଟେବଳ ରୁଦ୍ରନାଥ ନାରାୟଣ ଦାସ ପୁଣିଥରେ ଅଭିନବ ପ୍ରତିବାଦ ଆରମ୍ଭ କରିଛନ୍ତି। ଏଥର ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦୀର୍ଘଦିନର ଦାବି ଜଣାଇବା ପାଇଁ ‘ଦଣ୍ଡବତ ଯାତ୍ରା’ରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି।
ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ରୁଦ୍ରନାଥ ୨୦୧୮ ମସିହାରେ ଓଏସଏପି ପ୍ରଥମ ବାଟାଲିୟନରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ତେବେ କୌଣସି ଉଚିତ କାରଣ ନ ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଚାକିରି ହରାଇବା ପରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଥିବାବେଳେ ତାଙ୍କ ମା’ ଗୁରୁତର ଅସୁସ୍ଥ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି।
ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଏବଂ ନିଜର ଚାକିରି ଫେରାଇବା ଦାବିରେ ଦୁଇ ମାସ ପୂର୍ବେ ସେ ଏକ ମୋବାଇଲ୍ ଟାୱାର ଉପରକୁ ଚଢ଼ି ପ୍ରତିବାଦ କରିଥିଲେ। ସେତେବେଳେ ପ୍ରଶାସନ ତାଙ୍କୁ ଉଦ୍ଧାର କରିବା ସହ ତାଙ୍କ ଦାବି ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲା।
କିନ୍ତୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି ପୂରଣ ନ ହେବାରୁ ରୁଦ୍ରନାଥ ପୁଣିଥରେ ଅଭିନବ ପ୍ରତିବାଦର ପନ୍ଥା ଆପଣାଇଛନ୍ତି। ସେ ଦଣ୍ଡବତ କରି କରି ଭୁବନେଶ୍ୱର ଯାଉଛନ୍ତି, ଯାହାଦ୍ୱାରା ତାଙ୍କ ଦୁଃଖ ଓ ଦାବି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ରଖିଛନ୍ତି।
ରୁଦ୍ରନାଥ କହିଛନ୍ତି, "ଟାୱାରରୁ ତଳକୁ ଓହ୍ଲାଇବା ପରେ ପ୍ରଶାସନ ମୋତେ ଆଶ୍ୱାସନ ଦେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିନି। ମୋ ମା’ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯାଉ ଏବଂ ମୋତେ ପୁଣି ଚାକିରିରେ ଯୋଗଦାନର ସୁଯୋଗ ଦିଆଯାଉ।"
ଏପଟେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ କହିଛନ୍ତି ଯେ, ରୁଦ୍ରନାଥଙ୍କୁ ଦିଆଯାଇଥିବା ଆଶ୍ୱାସନ ପାଳନ କରାଯିବ ଏବଂ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଏବେ ସମସ୍ତଙ୍କ ନଜର ରହିଛି, ରୁଦ୍ରନାଥଙ୍କ ଏହି ଅଭିନବ ପ୍ରତିବାଦ ପରେ ପ୍ରଶାସନ କେବେ ଓ କିଭଳି ପଦକ୍ଷେପ ନେଉଛି।