ଭୁବନେଶ୍ୱର: ଏଣିକି ଅନ୍ତର୍ଜାତୀୟ ସୀମାରେ ମାଛ ଧରିବା ମତ୍ସ୍ୟଜୀବୀଙ୍କ ପାଇଁ ସହଜ ହେବ । ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ମେରିନ୍ ହବ୍ ଭାବେ ସ୍ଥାପିତ କରାଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ । ରାଜ୍ୟରେ ‘ଲେଟର ଅଫ୍ ଅଥରାଇଜେସନ୍ (LoA)’ ପ୍ରଦାନର ଜାତୀୟ ଶୁଭାରମ୍ଭ ଏବଂ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି। ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ତରଫରୁ ଉପରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମକୁ ସ୍ୱାଗତ କରିଥିଲେ। ସେ କହିଛନ୍ତି, ମୁକ୍ତ ସାଗରରେ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକ ଦ୍ୱାରା ମତ୍ସ୍ୟ ସମ୍ପଦର ଦୀର୍ଘସ୍ଥାୟୀ ଉପଯୋଗ ପାଇଁ ଏହି ‘ଲେଟର ଅଫ୍ ଅଥରାଇଜେସନ୍ (LoA)’ ପ୍ରଦାନର ଜାତୀୟ ଶୁଭାରମ୍ଭ ଓଡ଼ିଶା ମାଟିରେ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ଐତିହାସିକ ନୂତନ ଅଧ୍ୟାୟରେ ପ୍ରବେଶ କରୁଛି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ସଫଳତା ଓ ତଥ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।
ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ 'ଗୋ-ଆହେଡ୍' ଅନୁମତି ଜାରି କରାଯାଇଛି । ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୀର୍ଘକାଳୀନ ବ୍ଲୁ-ଇକୋନୋମି ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି । "ଓଡ଼ିଶା ଭିଜନ-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସହ ସମନ୍ୱିତ କରି ଆମେ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକୁମେଣ୍ଟ’ ର ଶୁଭାରମ୍ଭ କରିଛୁ, ଯାହା ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳର ସର୍ବୋତ୍ତମ ଉପଯୋଗ କରିବ । ପାରାଦୀପ, ଧାମରା, ଗୋପାଳପୁର ବନ୍ଦର ସହିତ ଚାନ୍ଦିପୁର ଓ ଅସ୍ତରଙ୍ଗ ଭଳି ସ୍ଥାନରେ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର, ହୋଲସେଲ ମାର୍କେଟ ଏବଂ ଆକ୍ୱା ପାର୍କ ଆଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। 'ରିଅଲ୍ କ୍ରାଫ୍ଟ' ପୋର୍ଟାଲ ମାଧ୍ୟମରେ ସମ୍ପୂର୍ଣ୍ଣ ଅନଲାଇନ୍ ଏବଂ ସ୍ୱଚ୍ଛ ପ୍ରକ୍ରିୟାରେ ଏହି ବ୍ୟବସ୍ଥା ପରିଚାଳିତ ହେଉଛି। ନୌ-ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ହଜାର ହଜାର ବର୍ଷର ଗୌରବଶାଳୀ ଇତିହାସ ରହିଛି ଏବଂ ଆଜିର ଏହି ପଦକ୍ଷେପ ସେହି ପରମ୍ପରାକୁ ଆଗକୁ ବଢ଼ାଇବା ସହ ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ମେରିନ୍ ହବ୍ ଭାବେ ସ୍ଥାପିତ କରିବ। ରାଜ୍ୟର ମତ୍ସ୍ୟଚାଷ ସମବାୟ ଏବଂ ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (FFPO) କୁ ସୁଦୃଢ଼ କରିବା ଏବଂ ମତ୍ସ୍ୟ କ୍ଷେତ୍ରର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ କରିବା ପାଇଁ ସମ୍ପୂର୍ଣ୍ଣ ବଦ୍ଧପରିକର । ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ମତ୍ସ୍ୟଚାଷ ପରିଚାଳନା ଏବଂ ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ଏହି ମିଶନ ମାଛ ଉତ୍ପାଦନ ବୃଦ୍ଧି କରିବ ଓ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ । ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଓଡିଶାରେ ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟ ବ୍ୟବସାୟ ବିଶେଷକରି ମତ୍ସ୍ୟ ରପ୍ତାନୀ ପାଇଁ ବିପୁଳ ସମ୍ଭାବନା ରହିଛି। ପଡୋଶୀ ରାଜ୍ୟ ଗୁଡିକ ଏ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଓଡିଶାରେ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ବଢିବାରେ ଲାଗିଛି। ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।
ସମାରୋହରେ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ସରକାରଙ୍କ ନୀତିଗତ ସଂସ୍କାର ଉପରେ ଆଲୋକପାତ କରିଥିଲେ।
ଏହି ଜାତୀୟସ୍ତରର ସମାରୋହରେ ଦେଶ ଏବଂ ରାଜ୍ୟର ଅନେକ ଶୀର୍ଷ ନେତୃତ୍ୱ ଓ ଅଧିକାରୀ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ। ଏଥିସହିତ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ବରିଷ୍ଠ ଅଧିକାରୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱ, ବିଶିଷ୍ଟ ସାମୁଦ୍ରିକ ଉଦ୍ୟୋଗୀ, ମତ୍ସ୍ୟ ସମବାୟ ସମିତି ଓ ଏଫ୍ଏଫ୍ପିଓ (FFPO) ର ପ୍ରତିନିଧି ଏବଂ ବହୁ ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।