ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଏକ ସରକାରୀ ବାଳିକା ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେଇଛି। ମଦନପୁର ସ୍ଥିତ ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ତୁରନ୍ତ ପ୍ରଭାବରୁ ଦାୟିତ୍ୱରୁ ହଟାଇ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ଜଣେ ମାଟ୍ରନ ଓ ଦୁଇଜଣ ରୋଷେୟାଙ୍କୁ ଦୀର୍ଘଦିନ ଧରି ଅଶାଳୀନ ମନ୍ତବ୍ୟ, ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବା, ଜାତିଆଣ ଆକ୍ଷେପ କରିବା ଏବଂ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି। ଉପସ୍ଥାନ ଖାତାରେ ଅନିୟମିତତା ଓ କାର୍ଯ୍ୟସ୍ଥଳରେ ହଇରାଣ ହରକତ କରାଯାଉଥିବା କଥା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ମହିଳା କର୍ମଚାରୀମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ "ପ୍ରଶାସନିକ ଆବଶ୍ୟକତା" ଦର୍ଶାଇ ଶାନ୍ତନୁ ମେହେରଙ୍କୁ ଦାୟିତ୍ୱରୁ ହଟାଇ କଳାହାଣ୍ଡି ଜିଲ୍ଲା କଲ୍ୟାଣ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବିଦ୍ୟାଳୟର ବିଜ୍ଞାନ ବିଭାଗର ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ମୁକେଶ ନାୟକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।
ତେବେ ଏହି ସଙ୍ଗୀନ ଅଭିଯୋଗକୁ ନେଇ ପ୍ରଧାନଶିକ୍ଷକ ଶାନ୍ତନୁ ମେହେରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ, ବିଦ୍ୟାଳୟରେ ଶୃଙ୍ଖଳା ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।