ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ତହସିଲ ଅଧୀନରେ ଥିବା ୬୯୩.୧୦୬ ଏକର ଜମିର ରେକର୍ଡ ଅଫ୍ ରାଇଟ୍ସ (RoR) ସଫଳତାର ସହ ସଂଶୋଧନ କରାଯାଇଛି। ଏହା ଫଳରେ ଏହି ଜମି ଏବେ ଆଇନଗତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ନାମରେ ଲିପିବଦ୍ଧ ହୋଇଛି।
ସୂଚନା ଅନୁସାରେ, ସତ୍ୟବାଦୀ ତହସିଲର ବିଭିନ୍ନ ମୌଜାର ୩୮ଟି ଖାତାରେ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ’ ଏବଂ ମର୍ଫତଦାରଙ୍କ ନାମରେ ଥିବା ଜମିର ରେକର୍ଡ ସଂଶୋଧନ କରାଯାଇଛି। ଏହା ପରେ ସମସ୍ତ ଜମିକୁ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଏସ୍ଜେଟିଏ ଅଧୀନକୁ ସ୍ଥାନାନ୍ତର କରାଯାଇଛି। ସତ୍ୟବାଦୀ ତହସିଲଦାର ଏହାର ଅନୁପାଳନ ରିପୋର୍ଟ ମନ୍ଦିର ପ୍ରଶାସନକୁ ଦାଖଲ କରିଛନ୍ତି।
ପୂର୍ବରୁ ୪୫୮.୮୯୬ ଏକର ଜମିର ରେକର୍ଡ ସଂଶୋଧନ ହୋଇଥିବା ବେଳେ, ଏସ୍ଜେଟିଏ ଲ୍ୟାଣ୍ଡ ସେଲ୍ ଗଠନ ପରେ ଆଉ ୨୩୪.୨୧ ଏକର ଜମିର ରେକର୍ଡ ମଧ୍ୟ ସଂଶୋଧନ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍ଜେଟିଏର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, ମହାପ୍ରଭୁଙ୍କ ଜମିକୁ ଆଇନଗତ ସୁରକ୍ଷା ଦେବା, ଜମି ରେକର୍ଡକୁ ସଠିକ୍ ଭାବେ ସଂରକ୍ଷଣ କରିବା ଏବଂ ଭବିଷ୍ୟତରେ କୌଣସି ବିବାଦକୁ ରୋକିବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି।
ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ୪,୭୦୦ ଏକରରୁ ଅଧିକ ଜମିର ରେକର୍ଡ ମହାପ୍ରଭୁଙ୍କ ନାମରେ ସଂଶୋଧନ କରାଯାଇଥିଲା। ସେହିପରି ପିପିଲି ତହସିଲର ୮୨ଟି ଖାତାରେ ଥିବା ୭୭.୨୦ ଏକର ଜମିର ରେକର୍ଡ ମଧ୍ୟ ସଠିକ୍ କରାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ମହାପ୍ରଭୁଙ୍କ ଜମିକୁ ସୁରକ୍ଷିତ ରଖିବା, ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଆଣିବା ଏବଂ ଜମି ସମ୍ପର୍କିତ ବିବାଦକୁ ରୋକିବା ପାଇଁ ଏହି ଅଭିଯାନ ଜାରି ରହିବ। ଆଗାମୀ ଦିନରେ ଅନ୍ୟ ତହସିଲରେ ମଧ୍ୟ ଏଭଳି ରେକର୍ଡ ସଂଶୋଧନ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।