ଗଞ୍ଜାମ: ବ୍ରହ୍ମପୁରରେ ଜଣେ ଯୁବତୀଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଘଟଣା ପୂର୍ବରୁ ଯୁବତୀ ରେକର୍ଡ କରିଥିବା ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ, ସେଥିରେ ସେ ନିଜ ବାପାଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଥିବା କୁହାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଯୁବତୀ ଭିଡିଓରେ ଦାବି କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ତିନି ମାସର ଗର୍ଭବତୀ କରିଥିଲେ। ଏଥିସହ ପଇସାର ଲୋଭରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ଏହି ସମସ୍ତ ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ଏବଂ ତଦନ୍ତ ଚାଲିଛି।
ଏହା ପରେ ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ଖବର ପାଇବା ପରେ ପୁଲିସ ତଦନ୍ତ ଜୋରଦାର କରିଛି। ଭିଡିଓରେ ଯୁବତୀ କରିଥିବା ଅଭିଯୋଗର ସତ୍ୟତା, ପରିବାର ସଦସ୍ୟଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ ଘଟଣାର ସମସ୍ତ ଦିଗରେ ତଦନ୍ତ କରୁଛି। ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।