କଟକ: ଦୀର୍ଘ ୨୩ ବର୍ଷ ଆଜୀବନ କାରାବାସରେ ରହିବା ପରେ ଶେଷରେ ଜଣେ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିଯୁକ୍ତ ମୋହନ କୁମାର ସେନାପତି । ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
୧୯୯୯ ଅକ୍ଟୋବର ୩୦ରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଧେପାଗୁଡ଼ା ରାସ୍ତାରୁ ଜଣେ ଅଜଣାବ୍ୟକ୍ତିଙ୍କ ମୃତ ଦେହ ମିଳିଥିଲା । ଲୁଟ୍ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ଏହି ଅଭିଯୋଗ ଆଧାରରେ ମୋହନ ସେନାପତିଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ । ୨୦୦୩ ଜୁଲାଇ ୩୦ରେ, ନବରଙ୍ଗପୁର ଅତିରିକ୍ତ ସେସନ୍ସ ଜଜ୍ ମୋହନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ପରବର୍ତ୍ତୀ ସମୟରେ ମୋହନ ସେନାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । କୋର୍ଟ ଅନୁଭବ କରିଥିଲେ ମାମଲାର କୌଣସି ଠୋସ୍ ପ୍ରମାଣ ଦେବାରେ ସରକାର ବିଫଳ ହୋଇଛନ୍ତି । କେବଳ ସନ୍ଦେହ ଆଧାରରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ହାଇକୋର୍ଟ ଶୁଣାଣି କରି ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବାକ ସହିତ ମୋହନଙ୍କ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।