ଭୁବନେଶ୍ୱର: ଆଉ ମାତ୍ର ୫ଟା ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ସହରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ଆରମ୍ଭ ହୋଇସାରିଛି । ସେଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ପୁରୀ ସହରକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି ।
ଆସନ୍ତା ୧୬ ଜୁଲାଇ, ରଥଯାତ୍ରାଠାରୁ ୨୭ ଜୁଲାଇ, ନିଳାଦ୍ରୀ ବୀଜେ ପର୍ଯ୍ୟନ୍ତ ପୁରୀ ସହରକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି । ପୁରୀ ସହରର ୫ କିଲୋମିଟର ପରିଧି ମଧ୍ୟରେ କୌଣସି ବେନାମୀ ଉଡ଼ାଣ କିମ୍ବା ଡ୍ରୋନ୍ ଉଡ଼ି ପାରିବ ନାହିଁ । କେବଳ ନିର୍ଦ୍ଧିଷ୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୂର୍ବ ଅନୁମତିପ୍ରାପ୍ତ ଡ୍ରୋନକୁ ଉଡ଼ିବାକୁ ଅନୁମତି ମିଳିବ । ପର୍ବ ବେଳେ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ନିୟମ ଉଲ୍ଲଘଂନ କରୁଥିବାର ଦୃଷ୍ଟିଗୋଚର ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ମାଜିଷ୍ଟ୍ରେଟ୍ ଡିଜିସିଏ, କଟକ ଆରଡିସି, ପୁରୀ ଏସପି, ପୁରୀ ନଗର ନିଗମ ଆୟୁକ୍ତ, ଅତିରିକ୍ତ ମାଜିଷ୍ଟ୍ରେଟ୍, ଉପ ଜିଲ୍ଲାପାଳ, ତହସିଲଦାର ପ୍ରମୁଖଙ୍କୁ ଚିଠି ଜାରି କରିଛନ୍ତି ।
ରଥଯାତ୍ରା ପାଇଁ ପୁରୀ ସହରରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଛି । ଦୁଇ ଦିନ ଧରି ମକ୍ ଡ୍ରିଲ୍ ମଧ୍ୟ କରାଯାଇଥିଲା । ହସ୍ପିଟାଲ, ପୁରୀ ସହର, ଶ୍ରୀମନ୍ଦିର ପାଖ ଏବଂ ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ମକଡ୍ରିଲ୍ କରାଯାଇଛି ।