ଭୁବନେଶ୍ୱର: ଓଡ଼ିଶାରେ ଯାନବାହନ ପଞ୍ଜୀକରଣ ଓ ମାଲିକାନା ପରିବର୍ତ୍ତନକୁ ନେଇ ପରିବହନ ବିଭାଗ ଆଣିଛି ବଡ଼ ପରିବର୍ତ୍ତନ। ଏଣିକି ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍ କିମ୍ବା ପୁରୁଣା ଗାଡ଼ିର ମାଲିକାନା ବଦଳ କରିବାକୁ ହେଲେ ଆଧାର କାର୍ଡ ଦେବା ବାଧ୍ୟତାମୂଳକ। ଏନେଇ ପରିବହନ ବିଭାଗ ପକ୍ଷରୁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯାଇଛି।
ନୂଆ ଏସ୍ଓପି ଅନୁସାରେ, ଯାନ ପଞ୍ଜୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଆଧାର କାର୍ଡ ସହ ବୈଧ ଠିକଣା ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। ସମସ୍ତ ଦସ୍ତାବିଜର ଯାଞ୍ଚ ପରେ ହିଁ ଆବେଦନକୁ ଅନୁମୋଦନ କରାଯିବ।
ପରିବହନ ବିଭାଗ କହିଛି, ନକଲି ପରିଚୟପତ୍ର କିମ୍ବା ଭୁଲ ଠିକଣା ଦେଇ ଯାନ ପଞ୍ଜୀକରଣକୁ ରୋକିବା ସହ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଆଇନଗତ ମାମଲାରେ ଗାଡ଼ିର ପ୍ରକୃତ ମାଲିକଙ୍କୁ ସହଜରେ ଚିହ୍ନଟ କରିବା ଏହି ନୂଆ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ।
ଏଥିସହ ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ଆବଶ୍ୟକୀୟ କାଗଜପତ୍ର ବିନା ରାସ୍ତାରେ ଚଳାଚଳ କରୁଥିବା ଯାନବାହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଗାଡ଼ି ଜବତ କରାଯିବା ସହ ମୋଟର ଭେହିକଲ୍ ଆକ୍ଟ ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯିବ।
ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଓ ପ୍ରବର୍ତ୍ତନକାରୀ ଦଳକୁ ନୂଆ ଏସ୍ଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନ ଅନୁମୋଦନ ପୂର୍ବରୁ ପ୍ରତ୍ୟେକ ଦସ୍ତାବିଜର ସଠିକ୍ ଯାଞ୍ଚ କରିବା ସହ ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।
ପରିବହନ ବିଭାଗର ମତରେ, ଏହି ନୂଆ ବ୍ୟବସ୍ଥା ଯାନ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ସହ ଆଇନ ଶୃଙ୍ଖଳା ରକ୍ଷା ଏବଂ ଅପରାଧ ତଦନ୍ତରେ ବେଶ ସହାୟକ ହେବ।