ଝାରସୁଗୁଡ଼ା: ପ୍ରାୟ ୨୮ ବର୍ଷ ଧରି ପୋଲିସକୁ ଚକମା ଦେଇ ଫେରାର ଥିବା ଜଣେ ହତ୍ୟା ଅଭିଯୁକ୍ତ ଶେଷରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ପୋଲିସ ଜାଲରେ ଧରାପଡ଼ିଛି। ଛତିଶଗଡ଼ରୁ ନୀଳମଣି ମହାନନ୍ଦକୁ ପୋଲିସ ଗିରଫ କରିଛି ।
୧୯୯୮ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯ୍ୟୋଧନ ଦାସଙ୍କୁ ତିନିଜଣ ମିଶି ହତ୍ୟା କରିଥିଲେ। ଘଟଣାରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ନୀଳମଣି ମହାନନ୍ଦ ପୋଲିସ ହେପାଜତରୁ ହାତକଡ଼ି ସହ ଫେରାର ହେବାରେ ସଫଳ ହୋଇଥିଲା। ତା'ପରେ ସେ ନିଜର ନାମ ପରିବର୍ତ୍ତନ କରି ‘ରାଜୁ ଗୋଣ୍ଡା’ ନାମରେ ଛତିଶଗଡ଼ର ରାୟଗଡ଼ରେ ରହୁଥିଲା। ପୋଲିସକୁ ଭ୍ରମିତ କରିବା ପାଇଁ ସେ ଏହି ଛଦ୍ମନାମରେ ଆଧାର କାର୍ଡ ଓ ପାନ୍ କାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲା। ତେବେ ରେଙ୍ଗାଲି ଥାନା ପୋଲିସ ଦୀର୍ଘଦିନ ଧରି ତା'ର ଗତିବିଧି ଉପରେ ନଜର ରଖିଥିଲା।
ନିର୍ଭରଯୋଗ୍ୟ ସୂଚନା ଆଧାରରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ପରେ ତାକୁ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଛି ।