ଭୁବନେଶ୍ୱର: ଶିକ୍ଷକ ହେବାକୁ ସ୍ୱପ୍ନ ଦେଖୁଥିବା ହଜାର ହଜାର ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ଦୁଇ ବର୍ଷିଆ B.Ed, M.Ed ଓ B.H.Ed ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନେ SAMS ପୋର୍ଟାଲରେ ଲଗ୍ଇନ୍ କରି ନିଜର ରେଜଲ୍ଟ ଯାଞ୍ଚ କରିପାରିବେ।
ଚଳିତ ବର୍ଷ B.Ed ପ୍ରବେଶିକା ପରୀକ୍ଷା ପାଇଁ ୧,୦୯,୮୭୩ ଜଣ ଆବେଦନ କରିଥିବାବେଳେ ୯୮,୧୭୦ ଜଣ ପରୀକ୍ଷା ଦେଇଥିଲେ। ସେହିପରି M.Ed ପାଇଁ ୧,୭୮୮ ଜଣ ଆବେଦନ କରିଥିଲେ ଏବଂ ୧,୩୧୮ ଜଣ ପରୀକ୍ଷାରେ ଯୋଗଦେଇଥିଲେ। B.H.Ed ପାଇଁ ୧,୮୭୯ ଜଣ ଆବେଦନ କରିଥିବାବେଳେ ୧,୫୪୨ ଜଣ ପରୀକ୍ଷା ଦେଇଥିଲେ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ୩୧ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ B.Ed ପାଇଁ ୨,୪୫୦ଟି, M.Ed ପାଇଁ ୩୦୦ଟି ଏବଂ B.H.Ed ପାଇଁ ୫୦ଟି ସିଟ୍ ଉପଲବ୍ଧ ରହିଛି।
ପ୍ରକାଶିତ ପ୍ରୋଭିଜନାଲ୍ ମାର୍କ୍ସକୁ ନେଇ କୌଣସି ଆପତ୍ତି ଥିଲେ, ପରୀକ୍ଷାର୍ଥୀମାନେ ଜୁଲାଇ ୧୦ ଦିନ ୨ଟାରୁ ଜୁଲାଇ ୧୩ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ SAMS ପୋର୍ଟାଲର ଅବଜେକ୍ସନ୍ ମଡ୍ୟୁଲ୍ ମାଧ୍ୟମରେ ଅନଲାଇନ୍ରେ ଆପତ୍ତି ଦାଖଲ କରିପାରିବେ।
ସମସ୍ତ ଆପତ୍ତିର ସମୀକ୍ଷା ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରାଯିବ ଏବଂ ସେହି ଆଧାରରେ B.Ed, M.Ed ଓ B.H.Ed ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ସମ୍ପନ୍ନ ହେବ। ଉଚ୍ଚ ଶିକ୍ଷା ବିଭାଗ କହିଛି, ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସମୟବଦ୍ଧ ରଖିବାକୁ ଏହି ବ୍ୟବସ୍ଥା କରାଯାଇଛି।