କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ ଅଧୀନ ଜାଗୁଳେଇପଦର ନିକଟ ଦୟାନଦୀରେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାରୁ ଖସି ନଦୀରେ ବୁଡ଼ି ଜଣେ ଯୁବ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚିନ୍ତା ଓ ଶୋକର ପରିବେଶ ସୃଷ୍ଟି ହୋଇଛି।
ନିଖୋଜ ମତ୍ସ୍ୟଜୀବୀ ହେଲେ ଦିବାନା ବେହେରା। ସୂଚନା ଅନୁସାରେ, ଚଳିତ ବର୍ଷା ଋତୁରେ ପ୍ରଥମ ଥର ପାଇଁ ଦୟାନଦୀକୁ ବନ୍ୟାଜଳ ପ୍ରବେଶ କରିଥିବାରୁ ନଦୀରେ ମାଛର ପରିମାଣ ବଢ଼ିଥିବା ଆଶାରେ ଦିବାନା ତାଙ୍କ ବାପା ପ୍ରକାଶ ବେହେରାଙ୍କ ସହ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ।
ତେବେ ମାଛ ଜାଲ ପକାଉଥିବା ବେଳେ ହଠାତ୍ ଦିବାନାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା। ଆଖି ପିଛୁଳାକେ ସେ ଡଙ୍ଗାରୁ ଖସି ନଦୀର ଗଭୀର ପାଣିରେ ପଡ଼ିଯାଇଥିଲେ। ପୁଅକୁ ବଞ୍ଚାଇବା ପାଇଁ ବାପା ପ୍ରକାଶ ତୁରନ୍ତ ଚେଷ୍ଟା କରିଥିଲେ ଏବଂ ପାଣି ଭିତରେ ଖୋଜାଖୋଜି କରିଥିଲେ। କିନ୍ତୁ ଦିବାନାଙ୍କ କୌଣସି ପତ୍ତା ମିଳିନଥିଲା।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ନଦୀକୂଳରେ ଭିଡ଼ ଜମାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଜୋରଦାର କରିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଏହି ଅଭିଯାନରେ ସହଯୋଗ କରୁଛନ୍ତି।
ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଦିବାନା ବେହେରାଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରହିଛି। ନିଖୋଜ ଯୁବକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ଓ ଗାଁଲୋକେ ପ୍ରାର୍ଥନା କରୁଛନ୍ତି।