ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ପୁଣି ବଦଳିପାରେ ଓଡ଼ିଶାର ପାଗ। ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଯଦି ଏହି ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହୁଏ, ତେବେ ରଥଯାତ୍ରା ସମୟରେ ବର୍ଷା ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଜୁଲାଇ ୧୪ କିମ୍ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏହି ବ୍ୟବସ୍ଥା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି।
ଏହାର ପ୍ରଭାବରେ ଜୁଲାଇ ୧୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଅନେକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଏହା ରଥଯାତ୍ରା ପ୍ରସ୍ତୁତି ଓ ଭକ୍ତଙ୍କ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ତିନି ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଜୁଲାଇ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଦେବଗଡ଼, ବାଲେଶ୍ୱର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନ ଯିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଅନ୍ୟପକ୍ଷରେ, ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଇଥିଲେ ମଧ୍ୟ ତଳମୁଣ୍ଡ ଅଞ୍ଚଳ ପାଇଁ ତୁରନ୍ତ କୌଣସି ବନ୍ୟା ବିପଦ ନାହିଁ ବୋଲି ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି। ଛଡ଼ାଯାଇଥିବା ପାଣି ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ବୋଲି କୁହାଯାଇଛି।
ଗତ କିଛି ଦିନ ଧରି ବର୍ଷା କମିଥିବାରୁ ଅଧିକାଂଶ ନଦୀର ଜଳସ୍ତର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି। ତେବେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ପାଣିପାଗ ବିଭାଗ ଓ ପ୍ରଶାସନ କଡ଼ା ନଜର ରଖିଛି। ଯଦି ଲଘୁଚାପ ସକ୍ରିୟ ହୁଏ, ତେବେ ରଥଯାତ୍ରା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ।