ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ଅଡ଼ୁଆ ପୁଣି ବଢ଼ିଛି। ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ତାଙ୍କୁ ୩ ମାସର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଏକକ ଖଣ୍ଡପୀଠ ରାଜପାଲଙ୍କ ଦ୍ୱାରା ଦାୟର ସମସ୍ତ ପୁନର୍ବିଚାର ଆବେଦନକୁ ଖାରଜ କରିବା ସହ ତଳ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି।
ମାମଲାର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମା ଅଭିନେତାଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଋଣ ଟଙ୍କା ପରିଶୋଧ କରିବା ଏବଂ ମିଳାମିଶାରେ ମାମଲା ରଫାଦଫା କରିବା ପାଇଁ ରାଜପାଲ ଯାଦବ ଓ ତାଙ୍କ ଓକିଲଙ୍କୁ ବାରମ୍ବାର ସମୟ ଏବଂ ସୁଯୋଗ ଦିଆଯାଇଥିଲା। ସେ କୋର୍ଟଙ୍କୁ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ମାତ୍ର ସେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଶେଷରେ ସେ ଅର୍ଥ ଦେବାକୁ ମନା କରିବା ସହ ଜେଲ୍ ଯିବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ୩ ମାସ ଜେଲ୍ ଦଣ୍ଡ ଶୁଣାଇବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋଟି କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ
ହାଇକୋର୍ଟ ରାଜପାଲ ଯାଦବଙ୍କ ବିରୋଧରେ ଥିବା ୭ଟି ଯାକ ମାମଲାରେ ପ୍ରତ୍ୟେକରେ ୩ ମାସ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି, ଯାହା ଏକାସଙ୍ଗେ ଚାଲିବ। ଏହାସହ ପ୍ରତି ମାମଲାରେ ଅଭିଯୋଗକାରୀଙ୍କୁ ୧.୦୫ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ମାମଲାରେ ତାଙ୍କ ପତ୍ନୀ ରାଧା ଯାଦବଙ୍କୁ ମଧ୍ୟ ପ୍ରତି ମାମଲାରେ ୫ ଲକ୍ଷରୁ ଅଧିକ ଟଙ୍କାର ଜରିମାନା କରାଯାଇଛି।
ସମ୍ପୂର୍ଣ୍ଣ ମାମଲା ?
ରିପୋର୍ଟ ଅନୁଯାୟୀ, ରାଜପାଲ ଯାଦବ ନିଜର ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ 'ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍' ନାମକ ଏକ କମ୍ପାନୀରୁ ମୋଟା ଅଙ୍କର ଋଣ ନେଇଥିଲେ। ମାତ୍ର ସେହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ସେ ଆର୍ଥିକ ସଙ୍କଟରେ ପଡ଼ିଯାଇଥିଲେ। ଋଣ ପରିଶୋଧ ପାଇଁ ସେ ଦେଇଥିବା ଚେକ୍ ଗୁଡ଼ିକ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା, ଯାହା ପରେ କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
୨୦୨୪ ମେ ମାସରେ ସେସନ୍ସ କୋର୍ଟ ତାଙ୍କୁ ୬ ମାସର ଜେଲ୍ ଦଣ୍ଡ ଶୁଣାଇଥିଲେ, ଯାହା ବିରୋଧରେ ସେ ହାଇକୋର୍ଟ ଯାଇଥିଲେ। ଏବେ ହାଇକୋର୍ଟ ତାଙ୍କ ଜେଲ୍ ଅବଧିକୁ ୬ ମାସରୁ ୩ ମାସକୁ କମାଇ ଦେଇଛନ୍ତି। ତେବେ ଉପରିସ୍ଥ ଅଦାଲତ ବା ସୁପ୍ରିମକୋର୍ଟରେ ଏହି ସୂତ୍ରକୁ ଚ୍ୟାଲେଞ୍ଜ କରିବା ପାଇଁ ହାଇକୋର୍ଟ ରାଜପାଲଙ୍କୁ ୨ ମାସର ସମୟ ପ୍ରଦାନ କରିଛନ୍ତି।