ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଘଟଣା। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଶକ୍ତ ଧକ୍କା ଦେଇ ବିଜେପିରେ ସାମିଲ ହୋଇଥିବା ୩ ହେଭିୱେଟ୍ ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପଦ୍ମ ଶିବିରରେ ସାମିଲ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ ପ୍ରକାଶ ଚିକ୍ ବଡ଼ାଇକଙ୍କ ନାମ ପ୍ରାର୍ଥୀ ତାଲିକାରେ ମୋହର ମାରିଛି ।
ଆରଜି କର ମାମଲାକୁ ନେଇ ମମତାଙ୍କ ଉପରେ ଥିଲେ କ୍ଷୁବ୍ଧ
ଏହି ତିନିଜଣ ଯାକ ନେତା ଗତ ମାସରେ ଟିଏମସି ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ବିଶେଷ କରି କୋଲକାତାର ଆରଜି କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାରଙ୍କ ଆଭିମୁଖ୍ୟକୁ ନେଇ ସୁଖେନ୍ଦୁ ଶେଖର ରାୟ ଦୀର୍ଘ ଦିନ ହେବ ନିଜ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଥିଲେ । ଦଳରେ ଅଣଦେଖା ହେବା ପରେ ପ୍ରଥମେ ସୁଖେନ୍ଦୁ ଜୁନ୍ ୮ରେ, ସୁସ୍ମିତା ଜୁନ୍ ୧୦ରେ ଏବଂ ପ୍ରକାଶ ଜୁନ୍ ୧୧ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।
'ସବୁ ଟିଏମସି ନେତାଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ନାହିଁ'
ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଏହି ତିନି ନେତାଙ୍କୁ ଦଳୀୟ ପତାକା ଦେଇ ସ୍ୱାଗତ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାନ ଦେଇଛନ୍ତି । ସେ କହିଛନ୍ତି, "ଏହି ନେତାମାନଙ୍କୁ ଦଳରେ ସାମିଲ କରିବା ଏକ ବ୍ୟତିକ୍ରମ । ଏହାର ଅର୍ଥ ନୁହେଁ ଯେ ବିଜେପି ସବୁ ଟିଏମସି ନେତାଙ୍କ ପାଇଁ ନିଜର ଦ୍ୱାର ଖୋଲି ଦେଇଛି । ଏହି ତିନିଜଣଙ୍କ ଟ୍ରାକ୍ ରେକର୍ଡ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଟିଏମସିରେ ଥିବା ବେଳେ ମଧ୍ୟ ସେମାନଙ୍କ ଉପରେ କୌଣସି ଦୁର୍ନୀତିର ଦାଗ ନଥିଲା, ତେଣୁ ଦଳ ସେମାନଙ୍କୁ ସମ୍ମାନ ଜଣାଇଛି ।"
ସଂଖ୍ୟା ଗଣିତ ବିଜେପି ସପକ୍ଷରେ, ୩ଟି ଯାକ ଆସନ ଜିତିବା ନିଶ୍ଚିତ!
ପଶ୍ଚିମବଙ୍ଗ ବିଧାନସଭାର ବର୍ତ୍ତମାନର ସଂଖ୍ୟା ସମୀକରଣ ଅନୁଯାୟୀ, ବିଜେପି ଏହି ତିନୋଟି ଯାକ ଆସନରେ ସହଜରେ ବିଜୟୀ ହେବା ସୁନିଶ୍ଚିତ ମନେହେଉଛି । ବିଧାନସଭାରେ ବିଜେପି ପାଖରେ ଏବେ ୨୦୮ ଜଣ ବିଧାୟକ ଅଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ହରାଇବା ପାଇଁ ବିରୋଧୀଙ୍କୁ ଅତିକମରେ ୭୦ଟି ଭୋଟ୍ ଦରକାର ।
ସରକାରୀ ଭାବେ ଟିଏମସି ପାଖରେ ୮୦ ବିଧାୟକ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୬୦ ଜଣ ବିଧାୟକ ବାଗୀ ହୋଇ ଋତବ୍ରତ ବାନାର୍ଜୀଙ୍କ ଗୁଟ୍ରେ ସାମିଲ ଅଛନ୍ତି । ମମତା ଏବଂ ଅଭିଷେକ ବାନାର୍ଜୀଙ୍କ ପାଖରେ ମାତ୍ର ୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ।