ଭୁବନେଶ୍ୱର: ଓଡ଼ିଶାର ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ରାଜ୍ୟ ସରକାର ‘ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର AC କୋଚ୍’ ନାମରେ ଏକ ନୂଆ ବସ୍ ବର୍ଗକୁ ମଞ୍ଜୁରି ଦେଇଛନ୍ତି। ଏହି ବସ୍ଗୁଡ଼ିକ ପାଇଁ ପ୍ରତି ଯାତ୍ରୀ କିମ୍ବା ବର୍ଥ ପିଛା କିଲୋମିଟରକୁ ସର୍ବାଧିକ ୩ ଟଙ୍କା ୫୦ ପଇସା ଭଡ଼ା ନିର୍ଦ୍ଧାରଣ କରାଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୁଲାଇ ୯ରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂଆ ବ୍ୟବସ୍ଥା ଓଡ଼ିଶା ରାଜପତ୍ରରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରୀ ହେବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଅର୍ଡିନାରି, ଏକ୍ସପ୍ରେସ୍, ଡିଲକ୍ସ, ଡିଲକ୍ସ AC ଓ ବର୍ତ୍ତମାନର ସୁପର ପ୍ରିମିୟମ୍ ବସ୍ର ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଭଡ଼ା କେବଳ ଫୁଲ୍ ସ୍ଲିପର AC କୋଚ୍ ପାଇଁ ଲାଗୁ ହେବ। ଏହାସହ ବସ୍ରେ ଭଡ଼ା ତାଲିକା ପ୍ରଦର୍ଶନ, ଯାତ୍ରୀଙ୍କ ପାଇଁ ରିହାତି, ମାଗଣା ଲଗେଜ୍ ସୁବିଧା, ଅତିରିକ୍ତ ଲଗେଜ୍ ଶୁଳ୍କ ଓ ଅନ୍ୟାନ୍ୟ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ।
ସରକାର କହିଛନ୍ତି, ୩ ଟଙ୍କା ୫୦ ପଇସା ପ୍ରତି କିଲୋମିଟର ହେଉଛି ସର୍ବାଧିକ ଭଡ଼ା ସୀମା। ଏହାଠାରୁ ଅଧିକ ଭଡ଼ା ଆଦାୟ କଲେ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ପାଳନ ନିଶ୍ଚିତ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଓ ଆଞ୍ଚଳିକ ପରିବହନ ପ୍ରାଧିକରଣ (RTA)କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୬ର ସାମଗ୍ରିକ ବସ୍ ଭଡ଼ା ସଂଶୋଧନ ସମ୍ପର୍କିତ ଟେକ୍ନିକାଲ୍ କମିଟିର ରିପୋର୍ଟ ଆସିବା ପରେ ଏହି ଭଡ଼ାରେ ଆବଶ୍ୟକ ହେଲେ ପୁନର୍ବାର ପରିବର୍ତ୍ତନ କରାଯାଇପାରେ।