ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ରେ ଲାଞ୍ଚ କାରବାରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ବିଲ୍ ପାସ୍ କରାଇଦେବା ନାଁରେ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ସାହି ବ୍ଲକ୍ର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂଙ୍କୁ ବାରିପଦା ଭିଜିଲାନ୍ସ ଟିମ୍ ହାତେନାତ ଧରି ଗିରଫ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ସୁଶୀଲ କୁମାର ସିଂ ବଡ଼ସାହି ବ୍ଲକ୍ ଅଧୀନରେ ଥିବା ଟଙ୍ଗାଶୋଳ, ଶାଳଗାଁ, ମନଗୋବିନ୍ଦପୁର ଓ ମାଣତ୍ରୀ ସମେତ ୪ଟି ପଞ୍ଚାୟତର ଦାୟିତ୍ୱରେ ଥିଲେ। ଟଙ୍ଗାଶୋଳ ପଞ୍ଚାୟତର ଲେମ୍ବୁସାହିରୁ କେନ୍ଦୁଆ ପର୍ଯ୍ୟନ୍ତ ମନରେଗା ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ମୋରମ ରାସ୍ତା ନିର୍ମାଣ କାମ ହୋଇଥିଲା। ଏହି କାମର ଅନ୍ତିମ ବିଲ୍ ପାସ୍ କରାଇବା ପାଇଁ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ସୁନାରାମ ସୋରେନ ବାରମ୍ବାର ଜେଇଙ୍କ ସହ ଯୋଗାଯୋଗ କରିଥିଲେ।
ଅଭିଯୋଗ ଅନୁସାରେ, ବିଲ୍ ପାସ୍ କରିବା ପାଇଁ ସୁଶୀଲ କୁମାର ସିଂ ୩୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ସୁନାରାମ ବାରିପଦା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା।
ଆଜି ବଡ଼ସାହି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୁନାରାମଙ୍କଠାରୁ ୩୨ ହଜାର ଟଙ୍କା ନେଉଥିବା ସମୟରେ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ସୁଶୀଲଙ୍କୁ ହାତେନାତ ଧରିଥିଲେ। ତାଙ୍କ ନିକଟରୁ ରଙ୍ଗ ବୋଳା ସମସ୍ତ ଟଙ୍କା ଜବତ କରାଯାଇଥିବା ବେଳେ ରାସ୍ତା ନିର୍ମାଣ ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ଟିମ୍ ବାରିପଦାରେ ଥିବା ଜେଇଙ୍କ ଭଡ଼ା ଘରରେ ମଧ୍ୟ ଚଢ଼ାଉ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଜେଇଙ୍କ ଆୟଠାରୁ ଅଧିକ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।