ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ପାଇଁ ଅଡ଼ୁଆ ବଢ଼ିଛି । ମହିଳାଙ୍କୁ ଭିଡ଼ିଓ କଲ୍ କରିବା ଏବଂ ଫେବର୍ ମାଗିବା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।
ଜଣେ ମହିଳା ଆଇଆଇସିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏକ ଜମିଜମା ମାମଲାରେ ଗ୍ରାମବାସୀଙ୍କ ସହିତ ହୋଇଥିବା ବିବାଦ ନେଇ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ତତ୍କାଳୀନ ଆଇଆଇସି ସୁଜିତ କୁମାର ଘଟଣାର ସମାଧାନ କରିବା ବଦଳରେ ମହିଳାଙ୍କ ଦୁର୍ବଳତାର ଫାଇଦା ଉଠାଇଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପିରିକି ଅନେକ ସମୟରେ ତାଙ୍କୁ ଭିଡ଼ିଓ କଲ୍ କରିବା ସହିତ ଫୋନ୍ କରି ବାରମ୍ବାର ହଇରାଣ କରୁଥିଲେ । ମହିଳା ଜଣକ ପ୍ରତିବାଦ କରିବାକୁ ତାଙ୍କୁ ମିଛ ମାମଲାରେ ଫସାଇ ଜେଲ୍ ପଠାଇ ଦେଇଥିଲେ । ମହିଳା ଫୋନରେ ରଖିଥିବା ପ୍ରମାଣ ସ୍ୱରୂପ ସମସ୍ତ ଫଟୋ ଏବଂ ଭିଡ଼ିଓକୁ ଥାନା ଅଧିକାରୀ ଡିଲିଟ୍ ମଧ୍ୟ କରିଦେଇଥିବା ସେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ମହିଳା ନୟାଗଡ଼ ଏସପିଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଥିଲେ ।
ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କୁମାରଙ୍କୁ ବଦଳି କରାଯାଇଥିଲା । ସେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।