ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ମାଳ ମାଳ ସରକାରୀ ବିଦ୍ୟାଳୟ ରହିଛି, କିନ୍ତୁ ନାହାଁନ୍ତି ଆବଶ୍ୟକ ଅନୁଯାୟୀ ପାଠ ପଢ଼ାଇବାକୁ ନାହାଁନ୍ତି ଶିକ୍ଷକ । ମାତ୍ର ଜଣେ ଶିକ୍ଷକରେ ୧୪୫୮ ବିଦ୍ୟାଳୟ ଚାଲିଛି । ଆଉ ସେହି ବିଦ୍ୟାଳୟ ମାନଙ୍କରେ ୬୦ ହଜାରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ୟୁଡିଆଇଏସ୍ଇ ପ୍ଲସ୍ (UDISE Plus) ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ୟୁଡିଆଇଏସ୍ଇ ପ୍ଲସ ବିଦ୍ୟାଳୟ ତୁଳନାରେ ଶିକ୍ଷକ ନିଯୁକ୍ତିର ତାଲିକା ପ୍ରକାଶ କରିଛି । ରିପୋର୍ଟରେ ଶିକ୍ଷା ବ୍ୟବସ୍ଥା ଉଦବେଗ ଜନିତ ସ୍ଥିତି ଦେଖିବାକୁ ମିଳିଛି । ୨୦୨୫-୨୬ ଶିକ୍ଷା ବର୍ଷର ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋଟ ୬୧ ହଜାର ୫୯୪ଟି ବିଦ୍ୟାଳୟ ରହିଛି । ଯେଉଁଥିରେ ୭୭ ଲକ୍ଷ ୮୮ ହଜାର ୫୬୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ପାଠ ପଢ଼ାଉଛନ୍ତି ୩୪ ହଜାର ୧ ହଜାର ୯୦୯ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ସେହିପରି ଯଦି ତୁଳନାତ୍ମକ ତଥ୍ୟ ଦେଖିବା ତାହା ହେଲେ ପ୍ରତି ୨୩ ଜଣ ପିଲାରେ ଜଣେ ଶିକ୍ଷକ ନିଯୁକ୍ତ ଅଛନ୍ତି । ସେହିପରି ପ୍ରତି ବିଦ୍ୟାଳୟରେ ହାରାହାରି ୬ ଜଣ ଶିକ୍ଷକ ରହିଛନ୍ତି । ପ୍ରତି ବିଦ୍ୟାଳୟରେ ହାରାହାରି ୧୨୬ ଜଣ ପିଲା ପାଠ ପଢ଼ୁଛନ୍ତି । ଶୂନ୍ୟ ନାମ ଲେଖା ହୋଇଥିବା ସେପରି କୌଣସି ବିଦ୍ୟାଳୟ ଓଡ଼ିଶାରେ ନାହିଁ । କିନ୍ତୁ ଚିନ୍ତାର ବିଷୟ ହେଉଛି ଜଣେ ଲେଖାଏଁ ଶିକ୍ଷକରେ ରାଜ୍ୟରେ ୧୪୫୮ଟି ବିଦ୍ୟାଳୟ ଚାଲିଛି । ଆଉ ସେହି ବିଦ୍ୟାଳୟରେ ୫୯ ହଜାର ୬୭୨ ଜଣ ପିଲା ନାମ ଲେଖାଇଛନ୍ତି ।
ସମସ୍ତ ବିଦ୍ୟାଳୟରେ ପ୍ରାୟତଃ ସମସ୍ତ ପ୍ରକାର ଭିତ୍ତିଭୂମି ଯଥା ଲାଇବ୍ରେରୀ, ବିଦ୍ୟୁତ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଆଦି ଅଳ୍ପ ବହୁତେ ରହିଛି । ୬୧୫୯୪ଟି ବିଦ୍ୟାଳୟ ମଧ୍ୟରୁ ୫୧୨୫୯ଟି ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା, ୫୧୦୬୯ଟିରେ ଇଣ୍ଟରନେଟ୍, ୬୧୫୮୮ଟିରେ ପାନୀୟ ଜଳ ସୁବିଧା, ୬୧୫୮୪ଟିରେ କାର୍ୟ୍ୟକ୍ଷମ ପାନୀୟ ଜଳ ସୁବିଧା ରହିଛି । ସେହିପରି ୬୧୩୮୪ଟି ବିଦ୍ୟାଳୟରେ ହାତ ଧୁଆ ଓ ୩୨୪୧୪ଟି ବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହା ସହିତ ୫୯୪୮୮ ବିଦ୍ୟାଳୟରେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଉପଲବ୍ଧ ଥିବାବେଳେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ୫୮୮୦୨ଟି ବିଦ୍ୟାଳୟରେ ରାମ୍ପ୍ ସୁବିଧା ଓ ୪୩, ୧୫୬ଟି ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ସୁବିଧା ରହିଛି । କିନ୍ତୁ ପିଲାଙ୍କ ଶିକ୍ଷା ଦେବାକୁ ଆବଶ୍ୟକ ପରିମାଣରେ ଶିକ୍ଷକ ନାହାଁନ୍ତି । ଏଥିରୁ ଅନୁମାନ କରି ହେଉଛି ଶିକ୍ଷା ବ୍ୟବସ୍ଥା କିପରି ଚାଲିଥିବ ।