ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ବଡ଼ ପଦକ୍ଷେପ ନେଇଛି। ଗୋପାଳପୁର ଥାନା ପକ୍ଷରୁ କୋର୍ଟରେ ୫୫୨ ପୃଷ୍ଠାର ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରାଯାଇଛି। ତେବେ ମାମଲାର ତଦନ୍ତ ଏବେ ମଧ୍ୟ ଜାରି ଥିବାରୁ ଆଗାମୀ ଦିନରେ ଆଉ ଚାର୍ଜସିଟ୍ ଦାଖଲ ହେବ ବୋଲି ସୂଚନା ମିଳିଛି।
ପୁଲିସ ସୂଚନା ଅନୁସାରେ, ଅପହରଣ ପରେ ସୁଧୀର ପାତ୍ରଙ୍କୁ ମାଡ଼ ମାରୁଥିବା ଭିଡିଓ କରି ତାଙ୍କ ସ୍ତ୍ରୀଙ୍କୁ ୨ କୋଟି ଟଙ୍କା ମୁକ୍ତିପଣ ଦାବି କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ରଞ୍ଜନ ମଲ୍ଲିକଙ୍କ ସ୍ୱର ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ସେହିପରି ଅଭିଯୁକ୍ତ ସରୋଜ ପଣ୍ଡା କରିଥିବା ବ୍ଲାଙ୍କ ଫାୟାରିଂର ଖୋକା ଓ ଗୁଳିର ସୀସା ମଧ୍ୟ ଜବତ କରାଯାଇ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି।
ଏହି ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ସୂର୍ଯ୍ୟ ପ୍ରତାପ ସିଂ ଓ ସୁମିତ ସିଂ ଅଣଓଡ଼ିଆ ହୋଇଥିବାବେଳେ ଅନ୍ୟମାନେ ଗଞ୍ଜାମ ଜିଲ୍ଲାର ବୋଲି ପୁଲିସ କହିଛି। ସବୁଠୁ ବଡ଼ କଥା ହେଉଛି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର ମଧ୍ୟ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୫ ତାରିଖରେ ସୁଧୀର ପାତ୍ର ଭାବିନୀପୁରରୁ ଭଲିବଲ ଖେଳି ବାଇକ୍ରେ ଘରକୁ ଫେରୁଥିବା ବେଳେ ଗୋପାଳପୁର ଥାନା ଅଞ୍ଚଳରୁ ତାଙ୍କୁ ଅପହରଣ କରାଯାଇଥିଲା। ବନ୍ଧୁକ ଦେଖାଇ ୨ କୋଟି ଟଙ୍କା ଦାବି କରାଯାଇଥିଲା। ମୁକ୍ତିପଣ ନମିଳିବାରୁ ତାଙ୍କୁ ହତ୍ୟା କରାଯାଇଥିଲା।
ତଦନ୍ତ ସମୟରେ ପୁଲିସ ଏକ ପରେ ଏକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜସ୍ଥାନରୁ ୪ ଜଣଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣାଯାଇଥିବାବେଳେ, ଖସି ପଳାଇବାକୁ ଉଦ୍ୟମ କରିବାରୁ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ପୁଲିସ ଏନକାଉଣ୍ଟରରେ ଆହତ କରିଥିଲା। ବର୍ତ୍ତମାନ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଥିବା ପୁଲିସ କହିଛି, ତଦନ୍ତ ଆଧାରରେ ଆଗାମୀ ଦିନରେ ମାମଲାରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିପାରେ।