ଢେଙ୍କାନାଳ: ଓଏଫଡିସିର ଜଣେ ମହିଳା ଫରେଷ୍ଟ ଆସିଷ୍ଟାଣ୍ଟଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ସ୍ୱାମୀ ଗିରଫ । ଫରେଷ୍ଟ ଆସିଷ୍ଟାଣ୍ଟ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଅଭିଯୋଗରେ ପାଞ୍ଚ ଦିନ ପରେ ଢେଙ୍କାନାଳ ବୈଦ୍ୟନାଥପୁର ଥାନା ପୋଲିସ ସ୍ୱାମୀ ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି ।
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନନ୍ତପୁର ସାହି ଅଞ୍ଚଳର ବାସିନ୍ଦା ଶୁଭଲକ୍ଷ୍ମୀ ସାହୁ ୨୦୨୪ ମସିହାରେ ଓଏଫଡିସିରେ ଫରେଷ୍ଟ ଆସିଷ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ। ଭୁବନେଶ୍ୱରରେ ରହୁଥିବା ସମୟରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିର ସନ୍ଦୀପ କୁମାର ପଟ୍ଟନାୟକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟ ପ୍ରେମ ବିବାହ କରିଥିଲେ । ବିବାହ ପରେ ଶୁଭଲକ୍ଷ୍ମୀ ବ୍ରହ୍ମପୁରକୁ ବଦଳି ହୋଇ ଶ୍ୱଶୁର ଘରେ ରହୁଥିଲେ । ଗତ ଜୁଲାଇ ୨୫ ତାରିଖରେ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଥିଲା। ଏହା ଏକ ଆତ୍ମହତ୍ୟା ବୋଲି ଶାଶୁ ଘର ଲୋକେ କହିଥିଲେ ।
କିନ୍ତୁ ଶୁଭଲକ୍ଷ୍ମୀଙ୍କ ବାପା ଘରେ ଲୋକେ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଶୁଭଲକ୍ଷ୍ମୀଙ୍କ ନାମରେ ତାଙ୍କ ସ୍ୱାମୀ ସନ୍ଦୀପ ଏକାଧିକ ଋଣ କରି ସହ ତାଙ୍କ ଦରମା ଟଙ୍କା ବ୍ୟବହାର କରୁଥିଲେ । ଏହା ସହ ତାଙ୍କୁ ନିଜ ପରିବାର ସହ ଯୋଗାଯୋଗ କରିବାକୁ ବାରଣ କରାଯିବା ଏବଂ ବାରମ୍ବାର ନିର୍ଯ୍ୟାତନା ଦିଆଯାଉଥିଲା । ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ସମ୍ପର୍କରେ ସ୍ୱାମୀ କିମ୍ବା ଶ୍ୱଶୁର ଘର ପକ୍ଷରୁ ପରିବାରକୁ ସୂଚନା ଦିଆଯାଇନଥିଲା । ପରେ ଥାନାରୁ ଖବର ମିଳିଥିବା ମଧ୍ୟ ସେମାନେ କହିଛନ୍ତି ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବୈଦ୍ୟନାଥପୁର ପୋଲିସ ସ୍ୱାମୀ ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି । ସନ୍ଦୀପଙ୍କ ବାପା ଓ ମାଆଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯାଉ ବୋଲି ଶୁଭଲକ୍ଷ୍ମୀଙ୍କ ପରିବାର ଲୋକ ଦାବି କରିଛନ୍ତି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲାର ପ୍ରକୃତ ସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।